ଶ୍ରେଷ୍ଠ୧୦୦ରେ ଭାରତ

ବିଶ୍ୱବ୍ୟାଙ୍କର ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ ର‍୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ: ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ ର‍୍ୟାଙ୍କିଙ୍ଗ୍‌ରେ ଭାରତ ଲମ୍ବା ଲମ୍ଫ ପ୍ରଦାନ କରିଛି। ଆଜି ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ର‍୍ୟାଙ୍କିଙ୍ଗ୍‌ରେ ଭାରତକୁ ୧୦୦ତମ ର‍୍ୟାଙ୍କ ମିଳିଛି। ଏଥିରୁ ଏହା ସ୍ପଷ୍ଟ ହେଊଛି ଯେ ଭାରତ ଯେଉଁ ଆର୍ଥିକ ସୁଧାର ପଦକ୍ଷେପଗୁଡ଼ିକ ଗ୍ରହଣ କରିଥିଲା ତାହାର ଭଲ ପ୍ରଭାବ ପଡ଼ିଛି।
ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଲାଗୁ କରିଥିବା ଏନ୍‌ଡିଏ ସରକାରଙ୍କୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ବିଶ୍ୱବ୍ୟାଙ୍କର ଏହି ର‍୍ୟାଙ୍କିଙ୍ଗ ସରକାରଙ୍କୁ ନିଶ୍ଚିତ ଆଶ୍ୱସ୍ତ କରିବ। ସମାଲୋଚକମାନଙ୍କ ମୁହଁ ବନ୍ଦ କରିବାରେ ସରକାର ଏହି ର‍୍ୟାଙ୍କିଙ୍ଗକୁ ଅସ୍ତ୍ର ଭାବେ ବ୍ୟବହାର କରିପାରିବେ।
ପ୍ରଥମ ଥର ପାଇଁ ଭାରତର ର‍୍ୟାଙ୍କିଙ୍ଗରେ ଏଭଳି ବଡ଼ ଧରଣର ଉନ୍ନତି ଦେଖିବାକୁ ମିଳିଛି। ଆଜି ବିଶ୍ୱବ୍ୟାଙ୍କ ପକ୍ଷରୁ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌ (ସହଜ ବ୍ୟବସାୟ ବାତାବରଣ) ର‍୍ୟାଙ୍କିଙ୍ଗ ଜାରି କରାଯାଇଛି। ଏ ବିଷୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସୂଚନା ଦେଇ କହିଛନ୍ତି ଯେ ଭାରତକୁ ୧୦୦ତମ ର‍୍ୟାଙ୍କ୍‌ ମିଳିଛି। ଭାରତ ପ୍ରଥମ ଥର ପାଇଁ ଟପ୍‌ ୧୦୦ରେ ସାମିଲ ହୋଇଛି। ସେ କହିଛନ୍ତି ଯେ ଏହି ର‍୍ୟାଙ୍କିଙ୍ଗ୍‌ରୁ ଏହା ସ୍ପଷ୍ଟ ହେଉଛି ଯେ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ହୋଇଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ର‍୍ୟାଙ୍କିଙ୍ଗ୍‌ରେ ଜବରଦସ୍ତ ଉନ୍ନତି ଦେଖିବାକୁ ମିଳିଛି। ଆଗକୁ ଶ୍ରେଷ୍ଠ ୫୦ରେ ସାମିଲ ହେବା କଷ୍ଟକର ନୁହେଁ ବୋଲି ଜେଟ୍‌ଲି କହିଛନ୍ତି। ଜେଟ୍‌ଲି କହିଛନ୍ତି ଯେ ଭାରତରେ ଟିକସ ବ୍ୟବସ୍ଥାର ସରଳୀକରଣ କରାଯାଇଛି। ଋଣ ଗ୍ରହଣ କରିବା ମଧ୍ୟ ସହଜ ହୋଇଛି। ଏ ସବୁ ବ୍ୟବସ୍ଥା ଯୋଗୁଁ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ହୋଇପାରିଛି।
ବିଭିନ୍ନ କ୍ଷେତ୍ରର ଭାରତ କିଭଳି ପ୍ରଦର୍ଶନ କରିଛି ସେ ବିଷୟରେ ମଧ୍ୟ ଜେଟ୍‌ଲି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କ୍ଷୁଦ୍ର ଅଂଶଧନକାରୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ବ୍ୟବସାୟ ପାଇଁ ଋଣ ଉପଲବ୍ଧ କରାଇବାରେ ଭାରତକୁ ୨୯ତମ ସ୍ଥାନ ମିଳିଛି। ବ୍ୟବସାୟ ପାଇଁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା କ୍ଷେତ୍ରରେ ଏହା ୨୯ତମ ସ୍ଥାନରେ ରହିଛି। ମାତ୍ର ଟିକସ ଦାଖଲ କରିବା ମାମଲାରେ ଭାରତକୁ ୧୧୯ତମ ସ୍ଥାନ ମିଳିଛି। ଏହା ପୂର୍ବରୁ ଟିକସ ପ୍ରଦାନ କରିବାରେ ୧୭୨ତମ ସ୍ଥାନରେ ଭାରତ ଥିଲା। ଏ କ୍ଷେତ୍ରରେ ଆମେ ସୁଧାର ଆଣିଛୁ ବୋଲି ଜେଟ୍‌ଲି କହିଛନ୍ତି। ଇନ୍‌ସଲ୍‌ଭେନ୍‌ସି ମାମଲା ସମାଧାନ କରିବା କ୍ଷେତ୍ରରେ ଭାରତ ୩୩ଟି ପାହାଚ ଉପରକୁ ଉଠି ୧୦୩ତମ ସ୍ଥାନରେ ପହଞ୍ଚିଛି। ସରକାର ଗ୍ରହଣ କରିଥିବା ଅନ୍ୟ ସୁଧାର ପଦକ୍ଷେପଗୁଡ଼ିକର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ ବୋଲି ଜେଟ୍‌ଲି କହିଛନ୍ତି। ସରକାର ର‍୍ୟାଙ୍କିଙ୍ଗରେ ଲଗାତାର ସୁଧାର ଆଣିବାକୁ ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି। କନଷ୍ଟ୍ରକ୍ସନ୍‌ ପରମିଟ୍‌ ପ୍ରଦାନ କରିବା କ୍ଷେତ୍ରରେ ଭାରତ ୧୮୧ତମ ସ୍ଥାନରେ ରହିଛି। ଏ କ୍ଷେତ୍ରର ଭାରତ ଆଠଟି ସ୍ଥାନ ଉପରକୁ ଉଠିଛି।
ଉଲ୍ଲେଖଯୋଗ୍ୟ, ବିଶ୍ୱବ୍ୟାଙ୍କ ପକ୍ଷରୁ ୧୯୦ଟି ରାଷ୍ଟ୍ରକୁ ନେଇ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ ର‍୍ୟାଙ୍କିଙ୍ଗ ଜାରି କରାଯାଉଛି। ଜିଏସ୍‌ଟି ଲାଗୁ କରିବା ପରେ ର‍୍ୟାଙ୍କିଙ୍ଗ୍‌୍‌ରେ ଉନ୍ନତି ହେବ ବୋଲି ସରକାର ଆଶା ରଖିଥିଲେ।

ସମ୍ବନ୍ଧିତ ଖବର