ବେଙ୍ଗାଲୁରୁ: ଭାରତକୁ ‘ମୃତ ଅର୍ଥନୀତି’ ବୋଲି ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟର କଡ଼ା ସମାଲୋଚନା ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ସିଧାସଳଖ ଟ୍ରମ୍ପଙ୍କ ନାଁ ନେଇ ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବା ଦିଗରେ  ଆଗକୁ ବଢ଼ୁଛି ବୋଲି କହିଛନ୍ତି। ବେଙ୍ଗାଲୁରୁଠାରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ଏବଂ ୩ଟି ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ସଂପ୍ରତି ଯେଉଁ ବେଗରେ ଆଗକୁ ବଢ଼ୁଛି ତାହା ଅନେକ କାରଣରୁ ସମ୍ଭବ ହୋଇଛି। ସେଥିରେ ଅର୍ଥନୈତିକ ସଂସ୍କାର, ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ସଚ୍ଚୋଟ ଉଦ୍ୟମ ଆଦି ରହିଛି। ୨୦୧୪ରେ ଭାରତରେ ମେଟ୍ରୋ କେବଳ ୫ଟି ସହରରେ ସୀମିତ ଥିଲା। ବର୍ତ୍ତମାନ ଦେଶର ୨୪ଟି ସହରରେ ୧୦୦୦ କିମିରୁ ଅଧିକ ମେଟ୍ରୋ ନେଟୱର୍କ ରହିଛି।

Advertisment

୨୦୧୪ ପୂର୍ବରୁ ଦେଶରେ ପ୍ରାୟ ୨୦ ହଜାର କିମିର ରେଳପଥର ବିଦ୍ୟୁତ୍‌କରଣ ହୋଇଥିଲା। ଗତ ୧୧ ବର୍ଷ ମଧ୍ୟରେ ଆମେ ୪୦ ହଜାର କିମିରୁ ଅଧିକ ରେଳପଥର ବିଦ୍ୟୁତ୍‌କରଣ କରିଛୁ। ୨୦୧୪ ପର୍ଯ୍ୟନ୍ତ ଦେଶରେ କେବଳ ୭୪ଟି ବିମାନବନ୍ଦର ଥିଲା। ବର୍ତ୍ତମାନ ଦେଶରେ ବିମାନବନ୍ଦର ସଂଖ୍ୟା ୧୬୦ରୁ ଅଧିକ ହୋଇପାରିଛି। ସେହିଭଳି ଜଳମାର୍ଗ ସଂଖ୍ୟା ମଧ୍ୟ ଆକର୍ଷଣୀୟ ରହିଛି। ୨୦୧୪ରେ କେବଳ ୩ଟି ଜାତୀୟ ଜଳମାର୍ଗ କାର୍ଯ୍ୟକ୍ଷମ ରହିଥିଲା। ବର୍ତ୍ତମାନ ଏହି ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ବୃଦ୍ଧି ପାଇଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରୁଷ୍‌ଠାରୁ ଭାରତ ଅଶୋଧିତ ତେଲ କିଣୁଥିବାରୁ ଆମେରିକା ରାଷ୍ଟ୍ରପତି ଏହାକୁ ସମାଲୋଚନା କରିଥିଲେ। ରୁଷ୍‌ ସହିତ ଭାରତ କ’ଣ କରେ ତାହାକୁ ମୁଁ ଖାତିର କରେନାହିଁ। କିନ୍ତୁ ଭାରତ ଏବଂ ରୁଷ ସେମାନଙ୍କ ଅର୍ଥନୀତିକୁ ବୁଡ଼ାଇ ଦେବେ ବୋଲି ମନ୍ତବ୍ୟ ଦେବା ସହିତ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଟ୍ରମ୍ପ ଘୋଷଣା କରିଛନ୍ତି।