ନୂଆଦିଲ୍ଲୀ: ଦିନ ଥିଲା ଯେତେବେଳେ ଭାରତର ଖାଦ୍ୟ ନିରାପତ୍ତା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଥିଲା। କିନ୍ତୁ ଭାରତ ଏବେ ବିଶ୍ବର ଖାଦ୍ୟ ଏବଂ ପୋଷଣ ସୁରକ୍ଷାର ସମାଧାନ ପ୍ରଦାନ କରୁଛି। ୬୫ ବର୍ଷ ପରେ ଭାରତରେ ଆୟୋଜିତ ଅନ୍ତର୍ଜାତୀୟ କୃଷି ବୈଜ୍ଞାନିକମାନଙ୍କ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନ୍ଏଏସ୍ସି) ପରିସରରେ ଆୟୋଜିତ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞମାନଙ୍କ ୩୨ତମ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କୃଷି ଓ ଖାଦ୍ୟ ସଂପର୍କରେ ଅତି ପୁରାତନ ବିଶ୍ବାସ ଓ ଅଭିଜ୍ଞତା କିଭଳି ଦୀର୍ଘସ୍ଥାୟୀ ରହିଛି ତାହା ଉପରେ ଅବତାରଣା କରିଥିଲେ। ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ଦିଆଯାଉଥିବା ପ୍ରାଧାନ୍ୟ ସଂପର୍କରେ ଉଲ୍ଲେଖ କରିଥିଲେ। କୃଷି ଶିକ୍ଷା ଏବଂ ଗବେଷଣା ପାଇଁ ଭାରତରେ ରହିଥିବା ବଳିଷ୍ଠ ବ୍ୟବସ୍ଥା ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ଭାରତୀୟ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କ୍ଷୁଦ୍ର ଚାଷୀମାନେ ସବୁଠୁ ବଡ଼ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ନିରନ୍ତର କୃଷି ଏବଂ ଖାଦ୍ୟ ବ୍ୟବସ୍ଥା ନେଇ ଯେଉଁସବୁ ଆହ୍ବାନ ରହିଛି ତାହାକୁ କେବଳ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’ ଆଭିମୁଖ୍ୟ ରଖିଲେ ସମାଧାନ ହୋଇପାରିବ। ସମ୍ମିଳନୀରେ ପ୍ରାୟ ୭୫ଟି ଦେଶରୁ ୧୦୦୦ ପାଖାପାଖି ପ୍ରତିନିଧି ଯୋଗଦେଇଛନ୍ତି। ଉଦ୍ଘାଟନୀ ସମାରୋହରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ନିତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ସମ୍ମିଳନୀର ସଭାପତି ପ୍ରଫେସ ମାଟିନ କ୍ବାଏମଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।