ନୂଆଦିଲ୍ଲୀ: ଦ୍ରୁତ ଓ ସୁରକ୍ଷିତ ଡିଜିଟାଲ୍‌ ପେମେଣ୍ଟ୍‌ରେ ଭାରତ ସମଗ୍ର ବିଶ୍ବରେ ଶୀର୍ଷ ସ୍ଥାନ ହାସଲ କରିଛି। ୟୁନିଫାଏଡ୍ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ)ର ଗ୍ରହଣୀୟତା ଓ ବ୍ୟବହାରରେ ବୃଦ୍ଧି ଭାରତକୁ ଏହି ମୁକୁଟ ପ୍ରଦାନ କରିଛି। ନ୍ୟାସନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ୨୦୧୬ରେ ୟୁପିଆଇ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହା ଡିଜିଟାଲ୍ ପେମେଣ୍ଟ୍‌ କାରବାରରେ ସବୁଠୁ ସରଳ ଓ ଲୋକପ୍ରିୟ ମାଧ୍ୟମରେ ପରିଣତ ହୋଇଛି। ୟୁପିଆଇ ଜରିଆରେ ଲୋକମାନେ ଗୋଟିଏ ମୋବାଇଲ୍‌ ଆପ୍‌ରେ ନିଜର ଏକାଧିକ ବ୍ୟାଙ୍କ ଖାତାକୁ ଯୋଡ଼ିପାରୁଛନ୍ତି।

Advertisment

ଏନ୍‌ପିସିଆଇ ଅନୁସାରେ ପ୍ରତି ମାସରେ ୧୮୦୦ କୋଟିରୁ ଅଧିକ ଥର ୟୁପିଆଇ କାରବାର ହେଉଛି। ଗତ ଜୁନ୍‌ରେ ୨୪.୦୩ ଲକ୍ଷ କୋଟି ଟଙ୍କାର ୧୮୩୯ କୋଟି ୟୁପିଆଇ କାରବାର ହୋଇଥିଲା। ୨୦୨୪ ଜୁନ୍‌‌ରେ ହୋଇଥିବା କାରବାର ତୁଳନାରେ ତାହା ୩୨ ପ୍ରତିଶତ ଅଧିକ। ୟୁପିଆଇ ଭାରତକୁ ନଗଦ ରାଶି ଓ କାର୍ଡ ଭିତ୍ତିକ ଅର୍ଥନୀତିରୁ ବାହାର କରି ଏକ ଡିଜିଟାଲ୍‌ ସଶକ୍ତ ଅର୍ଥନୀତିରେ ପରିଣତ କରିଛି। କେବଳ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ନୁହେଁ, ଏହାକୁ ଛୋଟମୋଟ ଦୋକାନୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଛନ୍ତି। 

ଭାରତରେ ହେଉଥିବା ଡିଜିଟାଲ୍‌ ପେମେଣ୍ଟଗୁଡ଼ିକ ମଧ୍ୟରୁ ୮୬ ପ୍ରତିଶତ ୟୁପିଆଇ ଜରିଆରେ ହେଉଛି। ୪୯.୧ କୋଟି ବ୍ୟବହାରକାରୀ, ୬.୫ କୋଟି ବ୍ୟବସାୟୀ ଓ ୬୭୫ ବ୍ୟାଙ୍କ ୟୁପିଆଇରେ ଯୋଡ଼ିହୋଇଛନ୍ତି। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ ୟୁପିଆଇ ପ୍ରାୟ ୫୦ ପ୍ରତିଶତ ବାସ୍ତବ ସମୟ ଡିଜିଟାଲ୍ ପେମେଣ୍ଟ୍‌ ସମ୍ଭାଳୁଛି। ଭାରତରେ ପ୍ରସ୍ତୁତ କରାଯାଇଥିବା ଏହି ସମାଧାନ ଏବେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ୍‌ରେ ମଧ୍ୟ ବ୍ୟବହୃତ ହେଉଛି।