ଡେରାଡୁନ: ଗୋଲାପୁରର ଅନ୍ତର୍ଜାତୀୟ କ୍ରୀଡ଼ା ଷ୍ଟାଡିୟମରେ ୩୮ତମ ରାଷ୍ଟ୍ରୀୟ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏବଂ ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷା ଯୋଗଦେଇଥିଲେ। ଗୃହମନ୍ତ୍ରୀ ଶ୍ରେଷ୍ଠ ୩ଟି ଦଳ ସର୍ଭିସେସ, ମହାରାଷ୍ଟ୍ର ଓ ହରିୟାଣାକୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଶାହ କହିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ଧାମିଙ୍କ ନେତୃତ୍ବରେ ରାଜ୍ୟର ପ୍ରତି ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ କରାଯାଇପାରିଛି।
ଉତ୍ତରାଖଣ୍ଡ ଭଳି ଛୋଟ ରାଜ୍ୟରେ ଜାତୀୟ କ୍ରୀଡ଼ା ଭଳି ବଡ଼ଧରଣର କାର୍ଯ୍ୟକ୍ରମ ହୋଇପାରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ଥିବା ଶାହ ଦୃଢ଼ୋକ୍ତି ବାଢ଼ିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ଧାମି କହିଥିଲେ ଜାତୀୟ କ୍ରୀଡ଼ା ଉଦ୍ଘାଟନ ସମାରୋହରେ ଉତ୍ତରାଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ଲାଭ କରିଛି। ଉତ୍ତରାଖଣ୍ଡ ରେକର୍ଡ ୧୦୩ଟି ମେଡାଲ ଜିତିବା ମଧ୍ୟ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ। ଖେଳାଳୀମାନଙ୍କୁ ଶାହ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା, କେନ୍ଦ୍ରମନ୍ତ୍ରୀ ଅଜୟ ତାମତା, ରାଜ୍ୟସଭା ସଦସ୍ୟ ମହେନ୍ଦ୍ର ଭଟ୍ଟ ଏବଂ ସାଂସଦ ଅଜୟ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।