ନୂଆଦିଲ୍ଲୀ: ବିଶ୍ବ ତୈଳ ବଜାରରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହୋଇଛି। ୟୁକ୍ରେନ୍ ସହ ଯୁଦ୍ଧ ପାଇଁ ରୁଷ୍ ଉପରେ ଖପ୍ପା ଥିବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ତୈଳ ଚାହିଦାକୁ ଭାରତ ଭିନ୍ନ ଢଙ୍ଗରେ ପୂରଣ କରୁଛି। ଏହା ସୁଲଭ ମୂଲ୍ୟରେ ରୁଷ୍ରୁ ବିପୁଳ ତେଲ କିଣୁଛି। ତାହାକୁ ବିଶୋଧନ କରିବା ପରେ ୟୁରୋପର ବିଭିନ୍ନ ରାଷ୍ଟ୍ର ଓ ଆମେରିକାକୁ ପଠାଉଛି। ଏହା ଦ୍ବାରା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଦୁଇ ପ୍ରକାର ଆବଶ୍ୟକତା ପୂରଣ ହେଉଛି। ପ୍ରଥମଟି ହେଉଛି ସେମାନେ ସଫଳତାର ସହ ରୁଷ୍ ଉପରେ ଅର୍ଥନୈତିକ କଟକଣା ଲଗାଇ ବିଶ୍ବ ଦରବାରରେ ନିଜର ଭାବମୂର୍ତ୍ତି ରକ୍ଷା କରିପାରିଛନ୍ତି। ଯେହେତୁ ରୁଷ୍ରୁ ସେମାନେ ସିଧାସଳଖ ତେଲ କିଣୁନାହାନ୍ତି ତେଣୁ ସେମାନଙ୍କୁ କେହି ନିନ୍ଦା କରିପାରିବେ ନାହିଁ। ଅନ୍ୟ ପକ୍ଷରେ ଭାରତ ଜରିଆରେ ସେମାନେ ନିଜ ତୈଳ ଆବଶ୍ୟକତାକୁ ଠିକ୍ ଭାବେ ପୂରଣ କରୁଛନ୍ତି।
ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ତୈଳ ବଜାରରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ନିଜ ଆୟକୁ ବଜାୟ ରଖିବା ଲାଗି ରୁଷ୍ ରିହାତି ଦାମ୍ରେ ତେଲ ବିକ୍ରି କରୁଛି। ସେହି ତେଲକୁ ଭାରତ ବିପୁଳ ମାତ୍ରାରେ କିଣୁଛି। ସେଥିପାଇଁ ରୁଷ୍ ଭାରତର ଏକ ନମ୍ବର ତୈଳ ଯୋଗାଣକାରୀରେ ପରିଣତ ହୋଇଥିବା ବେଳେ ଇରାକ୍ ଓ ସାଉଦି ଆରବ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ର ବରିଷ୍ଠ ଫେଲୋ ବେନ୍ କାହିଲ୍ କହିଛନ୍ତି ଯେ ରୁଷ୍ ଶସ୍ତାରେ ବିକୁଥିବା ତେଲକୁ ନେଇ ଭାରତ ଓ ଚୀନ୍ ଉପକୃତ ହେଉଥିବା ଆମେରିକା ଭଲ ଭାବେ ଜାଣିଛି। ତେଲକୁ ବିଶୋଧନ କରି ଏହି ଦୁଇ ରାଷ୍ଟ୍ର ଅନ୍ୟ ଦେଶକୁ ରପ୍ତାନି କରୁଛନ୍ତି। ଯେହେତୁ ସେମାନଙ୍କ ଜରିଆରେ ବଜାରରେ ତୈଳ ଯୋଗାଣ ସ୍ବାଭାବିକ ରହିଛି, ସେଥିପାଇଁ ଆମେରିକା ବେଶି ଚିନ୍ତା କରୁନାହିଁ। ଗତ ମାସରେ ଭାରତ ପକ୍ଷରୁ ନ୍ୟୁୟର୍କକୁ ଦୈନିକ ୮୯,୦୦୦ ବ୍ୟାରେଲ ପେଟ୍ରୋଲ୍ ଓ ଡିଜେଲ୍ ପଠାଯାଇଥିଲା ଯାହା ଗତ ଚାରି ବର୍ଷ ଭିତରେ ସର୍ବାଧିକ। ସେହିପରି ଗତ ଜାନୁଆରିରେ ୟୁରୋପକୁ ୧,୭୨,୦୦୦ ବ୍ୟାରେଲ୍ ତେଲ ପଠାଯାଇଛି ଯାହା ୨୦୨୧ ଅକ୍ଟୋବର ପରେ ସର୍ବାଧିକ। ରୁଷ୍ ଉପରେ ୟୁରୋପୀୟ ସଂଘ ଲଗାଇଥିବା କଟକଣା ଲାଗୁ ହେବାକୁ ଯାଉଥିବାରୁ ତେଲ ବଜାରରେ ଭାରତ ଓ ଚୀନ୍ର ଗୁରୁତ୍ବ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
ଏହି କଟକଣା ଲାଗୁ ହେବା ପରେ ୟୁରୋପ ବଜାରରେ ଡିଜେଲ୍ ଅଭାବ ଦେଖାଦେବ। ତାହାକୁ ଏସିଆ ଜରିଆରେ ପୂରଣ କରିବାକୁ ୟୁରୋପୀୟ ଦେଶଗୁଡ଼ିକ ଉଦ୍ୟମ କରିବେ। ୟୁରୋପୀୟ ସଂଘ ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ ସଂଘ ବାହାରେ କୌଣସି ଦେଶରେ ଯଦି ରୁଷ୍ ତେଲକୁ ବିଶୋଧନ କରାଯାଇଥିବ ତେବେ ତାହାକୁ ରୁଷ୍ର ତେଲ ବୋଲି ବିଚାର କରାଯିବ ନାହିଁ। ରୁଷ୍ ଉପରେ ୟୁରୋପ କଟକଣା ଲଗାଇବାକୁ ଚାହୁଛି, କିନ୍ତୁ ତେଲ ଯୋଗାଣ ପ୍ରଭାବିତ ହେଉ ବୋଲି ଚାହୁନାହିଁ। ସେଥିପାଇଁ ଏହାକୁ ଭାରତ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବ। ବିଶ୍ବ ତୈଳ ବଜାରର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିବା ଲାଗି ସାଉଦି ଆରବ, ୟୁଏଇ, ଆମେରିକା ଓ ଆବୁଧାବି ନ୍ୟାସନାଲ୍ ଅଏଲ୍ କଂପାନିର ପ୍ରତିନିଧିମାନେ ବାଙ୍ଗାଲୋର ଆସିଛନ୍ତି।