ଆପ୍ ଡାଉନ୍‌ଲୋଡ୍‌ରେ ଭାରତ ଦ୍ବିତୀୟ: ଲୋକମାନେ ଦିନକୁ ହାରାହାରି ୪ ଘଣ୍ଟା ଆପ୍‌ରେ ବିତାଉଛନ୍ତି

ନୂଆଦିଲ୍ଲୀ: ମୋବାଇଲ୍ ଆପ୍ ଡାଉନ୍‌ଲୋଡ୍ କରିବାରେ ଭାରତୀୟମାନେ ସାରା ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୨୦୨୦ରେ ଭାରତୀୟମାନେ ୨୪୦୦ କୋଟି ଆପ୍ ନିଜ ସ୍ମାର୍ଟଫୋନ୍‌ରେ ଇନଷ୍ଟଲ୍ କରିଛନ୍ତି। ୨୦୧୯ ତୁଳନାରେ ଏହା ୨୮ ପ୍ରତିଶତ ଅଧିକ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଗେମ୍‌ସ, ସୋସିଆଲ ମିଡିଆ ଓ ମନୋରଞ୍ଜନ୍ ଆପ୍‌ ଅଧିକ ଡାଉନ୍‌ଲୋଡ୍ ହୋଇଛି। ୟୁଟ୍ୟୁବ୍, ହ୍ବାଟସ୍‌ଆପ୍ ମେସେଞ୍ଜର୍ ଓ ଫେସ୍‌ବୁକ୍‌କୁ ଅଧିକ ଥର ଡାଉନ୍‌ଲୋଡ୍ କରାଯାଇଛି।

ଆନି ଆପ୍ ପକ୍ଷରୁ ଜାରି କରାଯାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ‌୨୦୨୦ରେ ଲୋକମାନେ ଦୈନିକ ହାରାହାରି ୪ ଘଣ୍ଟା ଆପ୍‌ରେ ବିତାଇଛନ୍ତି। ପ୍ରଥମ ଥର ଲାଗି ସେମାନେ ‌ଆପ୍‌କୁ ଏତେ ଅଧିକ ସମୟ ବ୍ୟବହାର କରିଛନ୍ତି। ଚଳିତ ବର୍ଷର ତୃତୀୟ ତ୍ରୟମାସରେ ଲୋକମାନେ ଦୈନିକ ହାରାହାରି ୪.୬ ଘଣ୍ଟା ଆପ୍‌ରେ ବିତାଇଛନ୍ତି। ୨୦୨୧ର ପ୍ରଥମ ଛଅ ମାସରେ ଭାରତୀୟମାନେ ୪୮୦ କୋଟି ଗେମ୍‌ସ ଫୋନ୍‌ରେ ଇନଷ୍ଟଲ୍‌ କରିଛନ୍ତି। ଗେମ୍‌ସ ଡାଉନ୍‌ଲୋଡ୍‌ରେ ଲୁଡୋ କିଙ୍ଗ୍‌ ଶୀର୍ଷ ସ୍ଥାନରେ ରହିଛି ଓ ଏହାର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ଆପ୍‌ ଡାଉନ୍‌ଲୋଡ୍ କ୍ଷେତ୍ରରେ ଅନ୍ୟତମ ଲୋକପ୍ରିୟ ବର୍ଗ ହେଉଛି ଡିଜିଟାଲ୍ ପେମେଣ୍ଟ୍‌ ଆପ୍। ୟୁନିଫାଏଡ୍ ପେମେଣ୍ଟ୍‌ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବହାର ବଢ଼ିବା ସହ ଲୋକମାନେ ଡିଜିଟାଲ୍ ପେମେଣ୍ଟ୍ ଆପ୍‌ ଅଧିକ ସଂଖ୍ୟାରେ ଡାଉନ୍‌ଲୋଡ୍ କରୁଛନ୍ତି। ଏହି ବର୍ଗରେ ଖାତା ବୁକ୍ ନାମକ ଏକ ଆପ୍‌କୁ ଅଧିକ ଥର ଡାଉନ୍‌ଲୋଡ୍‌ କରାଯାଇଛି ଓ ଏହାର ସକ୍ରିୟ ସଦସ୍ୟଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।

ସମ୍ବନ୍ଧିତ ଖବର