ନୂଆଦିଲ୍ଲୀ : ଶେଷ ହେବାକୁ ଯାଉଥିବା ବର୍ଷ ୨୦୨୨ରେ ସାଇବର ଆକ୍ରମଣକାରୀମାନଙ୍କ ନିଶାଣରେ ଥିଲେ ଭାରତ ସରକାର। ସରକାରୀ କ୍ଷେତ୍ର ଉପରେ ଘନ ଘନ ସାଇବର ଆକ୍ରମଣ କରାଯାଇଥିଲା। ବିଶ୍ବର ଯେକୌଣସି ଦେଶର ସରକାର ତୁଳନାରେ ଭାରତ ସରକାରଙ୍କ ଉପରେ ସବୁଠୁ ଅଧିକ ସାଇବର ଆକ୍ରମଣ ହୋଇଥିଲା। ୨୦୨୨ର ଦ୍ବିତୀୟ ଭାଗରେ ଏଭଳି ଆକ୍ରମଣ ୯୫ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି କ୍ଲାଉଡ୍ଏସ୍ଇକେଏକ୍ସଭିଜିଲ୍ ନାମକ ସଂସ୍ଥା ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷରେ ଭାରତ, ଆମେରିକା, ଇଣ୍ଡୋନେସିଆ ଓ ଚୀନ୍ର ସରକାରୀ କ୍ଷେତ୍ର ଉପରେ ସାଇବର ଅପରାଧୀମାନେ ସର୍ବାଧିକ ଆକ୍ରମଣ କରିଛନ୍ତି। ସାରା ବିଶ୍ବରେ ହୋଇଥିବା ମୋଟ ଆକ୍ରମଣ ମଧ୍ୟରୁ ଏହି ଚାରି ଦେଶ ଉପରେ ୪୦ ପ୍ରତିଶତ ଆକ୍ରମଣ ହୋଇଛି। ସରକାରୀ କ୍ଷେତ୍ର ଉପରେ ହ୍ୟାକରମାନଙ୍କ ଆକ୍ରମଣ କେବଳ ଅର୍ଥ ଲାଭ ପାଇବା ପାଇଁ ନଥିଲା। କିଛି ଆକ୍ରମଣକାରୀ ଏକ ନିର୍ଦିଷ୍ଟ ପ୍ରସଙ୍ଗରେ ସମର୍ଥନ ଜୁଟାଇବା କିମ୍ବା କିଛି ରାଜନୈତିକ, ଧାର୍ମିକ କିମ୍ବା ଅର୍ଥନୈତିକ ଲକ୍ଷ୍ୟକୁ ବିରୋଧ କରିବା ଲାଗି ସାଇବର ଆକ୍ରମଣ କରିଥିଲେ। ଡାଟା ଚୋରାଇବା କିମ୍ବା ହାସଲ କରିବା ଲାଗି ଅଧିକାଂଶ ସାଇବର ଆକ୍ରମଣ ହୋଇଥିବା ବେଳେ ଆଉ କିଛି ଆକ୍ରମଣ ନିରାପତ୍ତା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଲୋକଲୋଚନକୁ ଆଣିବା ପାଇଁ କରାଯାଇଥିଲା।
ବଡ଼ଦିନ ସପ୍ତାହରେ ମଧ୍ୟ ଭାରତ ଉପରେ ପ୍ରବଳ ସାଇବର ଆକ୍ରମଣ ହୋଇଥିଲା। ଏହି ସପ୍ତାହରେ ଆକ୍ରମଣ ସଂଖ୍ୟା ୩୧୪ ପ୍ରତିଶତ ବଢ଼ିଥିଲା। ପର୍ତୁଗାଲ ଓ ଥାଇଲ୍ୟାଣ୍ଡ୍ ପରେ ଏହି ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତର ବିପଦ ହାର ୨୪ ପ୍ରତିଶତ ରହିଛି ଯାହା ବିଶ୍ବ ହାର ଅନୁସାରେ ପ୍ରାୟ ଦୁଇ ଗୁଣା ଅଧିକ।