ଏଫ୍‌ଡିଆଇ ଆଣିବାରେ ଭାରତ ନବମ

ନୂଆଦିଲ୍ଲୀ: ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଆକୃଷ୍ଟ କରିବାରେ ଭାରତ ୨୦୧୯ ମସିହାରେ ୯ମ ସ୍ଥାନରେ ରହିଛି। ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ (ଅଙ୍କଟାଡ୍‌) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ୫୧ ବିଲିଅନ ଡଲାର ( ପ୍ରାୟ ୩୮.୭୯ ଲକ୍ଷ କୋଟି ଟଙ୍କା) ନିବେଶ ସହିତ ଭାରତ ଏହି ସ୍ଥାନ ହାସଲ କରିଛି ବୋଲି ବିଶ୍ବ ନିବେଶ ରିପୋର୍ଟ ୨୦୨୦ରେ ଅଙ୍କଟାଡ୍ ଦର୍ଶାଇଛି। ୨୦୧୮ରେ ଭାରତକୁ ୪୨ ବିଲିଅନ ଡଲାର ମୂଲ୍ୟର ଏଫଡିଆଇ ଆସିଥିବାବେଳେ ୨୦୧୯ରେ ଏହାଠାରୁ ୯ ବିଲିଅନ ଡଲାର ଅଧିକ ଏଫଡିଆଇ ଆସିଛି। ୨୦୧୮ରେ ଏଫଡିଆଇ ଆକୃଷ୍ଟ କରିବା କ୍ଷେତ୍ରରେ ଭାରତ ଦ୍ବାଦଶ ସ୍ଥାନରେ ଥିଲା।

ଏଫଡିଆଇ ଆଗମନ ନେଇ ରିପୋର୍ଟରେ ଅଙ୍କଟାଡ୍‌ ସତର୍କ ସୂଚନା ମଧ୍ୟ ଦେଇଛି। ୨୦୨୦ରେ ସମଗ୍ର ବିଶ୍ବରେ ଏଫଡିଆଇ ଆଗମନ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ୨୦୦୫ ମସିହାରୁ ପ୍ରଥମ ଥର ପାଇଁ ବିଶ୍ବକୁ ଏଫଡିଆଇ ଆଗମନ ୧ ଟ୍ରିଲିୟନ ଡଲାର ତଳକୁ ଖସିଯିବ। ଏସିଆର ବିକାଶଶୀଳ ଦେଶଗୁଡ଼ିକୁ ଏଫଡିଆଇ ଆଗମନ ଚଳିତବର୍ଷ ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। କରୋନା ଭୂତାଣୁ ଜନିତ ମହାମାରୀ ପାଇଁ ଏଭଳି ଦେଖିବାକୁ ହେବ। ନିବେଶ ଆକୃଷ୍ଟ କରିବାରେ ଭାରତ ପାଇଁ ସହାୟକ ହେବ ବୋଲି ଅଙ୍କଟାଡ୍ ରିପୋର୍ଟରେ କୁହାଯାଇଛି। ଆମେରିକାକୁ ସର୍ବାଧିକ ୨୪୬ ବିଲିଅନ ଡଲାର ଏଫଡିଆଇ ଆସିଛି। ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଚୀନ୍ ଦ୍ବିତୀୟ, ସିଙ୍ଗାପୁର ତୃତୀୟ, ନେଦରଲାଣ୍ଡ ଚତୁର୍ଥ, ଆୟର୍ଲାଣ୍ଡ ପଞ୍ଚମ, ବ୍ରାଜିଲ ଷଷ୍ଠ, ହଂକଂ ସପ୍ତମ, ବ୍ରିଟେନ ଅଷ୍ଟମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର