ଲକ୍‌ଡାଉନ୍‌ର ଲାଭ ପାଇନଥିବା ଏକମାତ୍ର ଦେଶ ଭାରତ: ଚିଦମ୍ବରମ୍

ନୂଆଦିଲ୍ଲୀ : କରୋନା ମହମାରୀକୁ କେନ୍ଦ୍ର ସରକାର ଯେଉଁ ଭାବେ ମୁକାବିଲା କରୁଛନ୍ତି ତାହାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ କଡ଼ା ସମାଲୋଚନା କରିଛନ୍ତି। ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସରକାରଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ଭାରତ ହେଉଛି ଏକମାତ୍ର ଦେଶ ଯାହା ଲକ୍‌ଡାଉନ୍ ଦ୍ବାରା ଉପକୃତ ହୋଇନାହିଁ। ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ କରୋନା ମାମଲା ସଂଖ୍ୟା ୫୫ ଲକ୍ଷରୁ ଅଧିକ ହେବ ବୋଲି ସେ ଆକଳନ କରିଥିଲେ। ମାତ୍ର ସେପ୍ଟେମ୍ବର ୨୦ ସୁଦ୍ଧା ଭାରତ ସେହି ସ୍ତରରେ ପହଞ୍ଚିଯିବ। ମାସ ଶେଷ ବେଳକୁ କରୋନା ମାମଲା ସଂଖ୍ୟା ୬୫ ଲକ୍ଷରୁ ଅଧିକ ହୋଇଯିବ ବୋଲି ସେ ନୂତନ ଆକଳନ କରିଛନ୍ତି। ଅନେକ ଟୁଇଟ୍‌ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି, ୨୧ ଦିନରେ କରୋନାକୁ ପରାସ୍ତ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ଦେଶଗୁଡ଼ିକ ଏହି ମହମାରୀର ମୁକାବିଲାରେ ସଫଳ ହେଉଥିବା ବେଳେ ଭାରତ କାହିଁକି ବିଫଳ ହୋଇଛି ତାହାର କାରଣ ଜାଣିବାକୁ ସେ ଚାହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଲକ୍‌ଡାଉନ୍ ରଣନୀତିରୁ ଦେଶକୁ କୌଣସି ପ୍ରକାର ଲାଭ ମିଳିନାହିଁ। ଅର୍ଥନୀତି ପ୍ରସଙ୍ଗରେ ମଧ୍ୟ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅର୍ଥ ମନ୍ତ୍ରଣାଳୟକୁ ସମାଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୀତିରେ କାହିଁକି ଏତେ ବଡ଼ ଧରଣ ହ୍ରାସ ଘଟିଲା ତାହା ଉପରେ ମନ୍ତ୍ରଣଳୟ ପଦଟିଏ ମଧ୍ୟ ସ୍ପଷ୍ଟୀକରଣ ଦେବାକୁ ଉଚିତ ମଣିନାହିଁ। ମାତ୍ର ଇଂରାଜି ଅକ୍ଷର ‘ଭି’ ଭଳି ସୁଧାର ହେବ ବୋଲି କହିଛି। ଏହାର ଅର୍ଥ ହେଉଛି ଅର୍ଥନୀତି ଯେଉଁ ହାରରେ ତଳକୁ ଖସିଥିଲା, ସେହିଭଳି ଦ୍ରୁତ ଗତିରେ ସେଥିରେ ସୁଧାର ହେବ। ସରକାର ଗତ ୧୫ ମାସ ହେଲାଣି ଏହି ପ୍ରତିଶ୍ରୁତି ଦେଉଛନ୍ତି ବୋଲି ଚିଦମ୍ବରମ୍‌ ଲୋକମାନଙ୍କୁ ମନେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର