ନୂଆଦିଲ୍ଲୀ: ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଭାରତୀୟ ମୋବାଇଲ୍‌ କଂଗ୍ରେସରେ ୫ଜି ସେବା ଆରମ୍ଭ ହୋଇଥିଲା। ଏବେ ଦେଶର ପ୍ରତିଟି ଜିଲ୍ଲାରେ ଏହି ସେବା ପହଞ୍ଚିଛି। ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍‌ ୫ଜି ବଜାର। ଏବେ ୬ଜି ପ୍ରଯୁକ୍ତି ଉପରେ କାମ ଚାଲିଛି ବୋଲି ସେ କହିଛନ୍ତି।

Advertisment

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ଭାରତୀୟ ମୋବାଇଲ୍‌ କଂଗ୍ରେସ ୨୦୨୪କୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୦ ବର୍ଷ ଭିତରେ ଭାରତ ଯେତିକି ଅପ୍ଟିକାଲ୍ ଫାଇବର୍ ବିଛାଇଛି ତାହା ହେଉଛି ଭାରତ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ଆଠ ଗୁଣରୁ ଅଧିକ। ପ୍ରଯୁକ୍ତିର ନୈତିକ ବ୍ୟବହାର ଲାଗି ବିଶ୍ବବ୍ୟାପୀ ଏକ ବ୍ୟାପକ ନିୟମ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି ଯେ ବିମାନ ଚଳାଚଳ କ୍ଷେତ୍ରରେ ଯେଭଳି ବିଶ୍ବବ୍ୟାପୀ ନିୟମ ରହିଛି, ପ୍ରଯୁକ୍ତି ଦୁନିଆ ଲାଗି ସେଭଳି ନିୟମ ଆବଶ୍ୟକ। ବିଶେଷ କରି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ନୈତିକ ବ୍ୟବହାର ଉପରେ ସେ ଜୋର୍‌ ଦେଇଛନ୍ତି। ପ୍ରଯୁକ୍ତି ସମ୍ପର୍କରେ କ’ଣ କରାଯିବ ଓ କ’ଣ ନ କରାଯିବ ତାହାର ଏକ ସ୍ପଷ୍ଟ ନିୟମ ରହିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ୫ଜିରେ ଆମେ ଦୁନିଆ ସହ ଆଗକୁ ବଢ଼ିଥିଲୁ। କିନ୍ତୁ ୬ଜି‌ରେ ଆମେ ଆଗରେ ରହିବାକୁ ଚାହୁଛୁ। ୫ଜି ପାଇଁ ୨୦୪୦ ସୁଦ୍ଧା ଅର୍ଥନୀତିକୁ ୪୫,୦୦୦ କୋଟି ଡଲାରର ଫାଇଦା ମିଳିବ ବୋଲି ସେ କହିଛନ୍ତି। ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ‌ରେ ଭାରତ ୨ଜି ସ୍ପିଡ୍ ପାଇଁ ସଂଘର୍ଷ କରୁଥିବା ଏକ ଦେଶରୁ ବିଶ୍ବର ବୃହତ୍ତମ ଡାଟା ବଜାରରେ ପରିଣତ ହୋଇଛି। ବିକଶିତ ଭାରତ ଗଠନ ଲାଗି ଏଆଇକୁ ପରିବର୍ତ୍ତନକାରୀ ଉପକରଣ ଭାବେ ବ୍ୟବହାର କରିବା ଓ ଭାରତୀୟ ଡାଟାକୁ ଦେଶ ଭିତରେ ରଖିବା ଲାଗି ଡାଟା ସେଣ୍ଟର ନୀତିରେ ବିକାଶ ଆଣିବା ଲାଗି ସେ ନିବେଦନ କରିଛନ୍ତି। ସେହିପରି ଭାରତୀ ଏୟାରଟେଲ୍‌ର ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି ଯେ ଆଗାମୀ ୧୨ରୁ ୧୮ ମାସ ଭିତରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ ୫ଜି ସେବା ସହ ଏହି ପ୍ରଯୁକ୍ତିରେ ଭାରତ ନେତୃତ୍ବ ନେବାକୁ ଯାଉଛି। ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ୫ଜି, ଇଣ୍ଟରନେଟ୍ ଅଫ୍‌ ଥିଙ୍ଗ୍‌ସ, ଏଆଇ ଓ କ୍ଲାଉଡ୍‌ ସେବା ଉପରେ ଜୋର ଦେଇଥିଲେ।