ନୂଆଦିଲ୍ଲୀ : ବିଶ୍ବ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରୢାଙ୍କିଙ୍ଗ୍ରେ ଭାରତ ୧୪ ପାହାଚ ଉପରକୁ ଉଠିଛି। ୨୦୧୯ ପାଇଁ ଭାରତର ରୢାଙ୍କ୍ ହେଉଛି ୬୩। କ୍ରମାଗତ ତୃତୀୟ ବର୍ଷ ପାଇଁ ଭାରତର ରୢାଙ୍କିଙ୍ଗ୍ରେ ଉନ୍ନତି ହୋଇଛି। ବିଭିନ୍ନ ଦେଶରେ ବ୍ୟବସାୟ କରିବା କେତେ ସହଜ ତାହା ଜଣାଇବା ଲାଗି ପ୍ରତିବର୍ଷ ବିଶ୍ବବ୍ୟାଙ୍କ ତରଫରୁ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରୢାଙ୍କିଙ୍ଗ୍ ପ୍ରକାଶ କରାଯାଉଛି। ଯେଉଁ ଦେଶର ରୢାଙ୍କ ଯେତେ ଭଲ ତାହା ନିବେଶକଙ୍କ ଲାଗି ସେତେ ଆକର୍ଷଣୀୟ ବୋଲି ବିଚାର କରାଯାଏ। ବିଶ୍ବର ୧୯୦ଟି ରାଷ୍ଟ୍ର ଲାଗି ବିଶ୍ବବ୍ୟାଙ୍କ ଏହି ରୢାଙ୍କିଙ୍ଗ୍ ପ୍ରକାଶ କରୁଛି।
ମୋଦୀ ସରକାର ଆସିବା ବେଳକୁ ଭାରତ ଏହି ରୢାଙ୍କରେ ୧୪୨ତମ ସ୍ଥାନରେ ରହିଥିଲା। କିନ୍ତୁ ୨୦୧୫ରେ ଭାରତ ୧୩୦ତମ, ୨୦୧୬ରେ ୧୩୦ତମ, ୨୦୧୭ରେ ୧୦୦ତମ, ୨୦୧୮ରେ ୭୭ତମ ଏବଂ ୨୦୧୯ରେ ୬୩ତମ ସ୍ଥାନରେ ପହଞ୍ଚିଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଡୁଇଂ ବିଜ୍ନେସ୍ ୨୦୨୦ ରିପୋର୍ଟରେ ଭାରତର ସଂସ୍କାରକୁ ପ୍ରଶଂସା କରାଯାଇଛି। ଭାରତ ବ୍ୟତୀତ ଚଳିତବର୍ଷ ବ୍ୟବସାୟିକ ବାତାବରଣ ଉନ୍ନତିରେ ଉତ୍ତମ ପ୍ରଦର୍ଶନ କରିଥିବା ଅନ୍ୟ ଦେଶ ଗୁଡ଼ିକ ମଧ୍ୟରେ ସାଉଦି ଆରବ (୬୨ତମ), ଜୋର୍ଡାନ (୭୫ତମ), ଟୋଗୋ (୯୭ତମ), ବାହାରିନ (୪୩ତମ), ତାଜିକିସ୍ଥାନ (୧୦୬ତମ), ପାକିସ୍ତାନ (୧୦୮ତମ), କୁଏତ (୮୩ତମ), ଚୀନ୍ (୩୧ତମ) ଏବଂ ନାଇଜେରିଆ (୧୨୧ତମ) ରହିଛନ୍ତି। ରୢାଙ୍କିଂରେ ନ୍ୟୁଜିଲାଣ୍ଡ ପୂର୍ବପରି ଶୀର୍ଷରେ ଥିବାବେଳେ ସିଙ୍ଗାପୁର ଏବଂ ହଂକଂ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଓ ଆମେରିକା ଷଷ୍ଠ ସ୍ଥାନରେ ରହିଛି।
ବ୍ୟାଙ୍କରପ୍ସି ମାନଦଣ୍ଡରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୫୨ତମ ସ୍ଥାନରେ ପହଞ୍ଚିଛି। ପୂର୍ବବର୍ଷ ଭାରତର ଏହି ରୢାଙ୍କ୍ ୫୬ ଥିଲା। କନଷ୍ଟ୍ରକ୍ସନ ପର୍ମିଟ୍ ହାସଲ କରିବା ମାନଦଣ୍ଡରେ ଭାରତ ୨୭ତମ ସ୍ଥାନରେ ରହିଛି। ସୀମାପାର କାରବାର କ୍ଷେତ୍ରରେ ଏହା ୬୮ତମ ସ୍ଥାନରେ ରହିଛି। ଚୁକ୍ତିକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପତ୍ତି ପଞ୍ଜୀକରଣ କରିବାରେ ଭାରତ ସବୁଠୁ ଦୁର୍ବଳ ପ୍ରଦର୍ଶନ କରିଛି। ଏହି ଦୁଇ ମାନଦଣ୍ଡରେ ଭାରତ ଯଥାକ୍ରମେ ୧୬୩ ଓ ୧୬୪ତମ ସ୍ଥାନରେ ରହିଛି। ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରୢାଙ୍କିଙ୍ଗ୍ ପ୍ରସ୍ତୁତ କରିବା ଲାଗି ବିଶ୍ବବ୍ୟାଙ୍କ ତରଫରୁ ବିଚାରକୁ ନିଆଯାଉଥିବା ମାନଦଣ୍ଡଗୁଡ଼ିକ ହେଉଛି-ଇନ୍ସଲ୍ଭେନ୍ସି ମାମଲାର ସମାଧାନ, କନଷ୍ଟ୍ରକ୍ସନ ପର୍ମିଟ୍, ସୀମାପାର କାରବାର, ସମ୍ପତ୍ତି ପଞ୍ଜୀକରଣ, ଟିକସ ପଇଠ, ବିଦ୍ୟୁତ ସଂଯୋଗ ହାସଲ କରିବା, ବ୍ୟବସାୟ ଆରମ୍ଭ କରିବା, ଚୁକ୍ତି ଲାଗୁ କରିବା, ଋଣ ହାସଲ କରିବା ଏବଂ ସଂଖ୍ୟାଲଘୁ ନିବେଶକଙ୍କ ସ୍ବାର୍ଥର ସୁରକ୍ଷା। ଉଲ୍ଲେଖଯୋଗ୍ୟ, ୨୦୨୦ ସୁଦ୍ଧା ଭାରତ ଏହାର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରୢାଙ୍କିଙ୍ଗ୍କୁ ୫୦ ଭିତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଏବଂ ସେହି ଅନୁସାରେ ସଂସ୍କାର ପ୍ରକ୍ରିୟା ଜାରି ରଖାଯାଇଛି।