ଭାରତରେ ୫-ଜି ଦୌଡ଼ରୁ ବାଦ ପଡ଼ିବେ ଚୀନା କମ୍ପାନି ହୁଆଏଇ ଓ ଜେଡଟିଇ !

ନୂଆଦିଲ୍ଲୀ : ଚୀନ ବିରୁଦ୍ଧରେ ଏକ ବଡ଼ ଧରଣର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ କରିଦେଇଛି । ୫୯ଟି ମୋବାଇଲ ଆପକୁ ନିଷିଦ୍ଧ କରିବା ପରେ ସରକାର ଚୀନ ଟେଲିକମ କମ୍ପାନି ହୁଆଏଇ ଓ ଜେଡଟିଇକୁ ଭାରତରେ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ।

ସରକାରୀ ସୁତ୍ରକୁ ଉଦ୍ଧାର କରି ଇଣ୍ଡିଆଟୁଡେ କହିଛି ଯେ ହୁଆଇ ଓ ଜେଡଟିଇକୁ ଦେଶରେ ୫ଜି ଟେକନଲୋଜୀ ଲାଗୁ କରିବା ଯେତେ ଶସ୍ତା ହେଲେ ମଧ୍ୟ ସେମାନଙ୍କୁ ଭାରତୀୟ ବଜାରରେ ପ୍ରବେଶ କରାଇଦିଆଯିବ ନାହିଁ । ଏସବୁ କମ୍ପାନିଗୁଡ଼ିକର ମାଲିକାନା ସ୍ୱତ୍ତ୍ୱ, କିଏ ଏମାନଙ୍କୁ ନିୟନ୍ତ୍ରଣ କରେ, ସୁରକ୍ଷା ଆଦି ପ୍ରସଙ୍ଗରେ କୌଣସି ସ୍ୱଚ୍ଛତା ନଥିବାରୁ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ସେଗୁଡ଼ିକ ଅନୁମତି ଦିଆଯିବ ନାହିଁ ।
ଏ ନେଇ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିଲେ ମଧ୍ୟ ୫-ଜି ଲାଗୁ ବାବଦରେ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ୫-ଜି ଟେକନଲୋଜୀ ସହ ଦେଶର ଡିଜିଟାଲ ଭିତ୍ତିଭୂମିର ସୁରକ୍ଷା ଜଡ଼ିତ ଥିବାରୁ ସରକାର ସତର୍କତାର ସହ ପଦକ୍ଷେପ ନେଉଛନ୍ତି ।

ଚୀନର ଟେଲିକମ ଉପକରଣ ନିର୍ମାତା କମ୍ପାନି ହୁଆଏଇକୁ ସମଗ୍ର ବିଶ୍ବରେ ଚର୍ଚ୍ଚା ଜାରି ରହିଛି । ପିଏଲଏ ସହ ଏହାର ସମ୍ପର୍କକୁ ନେଇ ଅନେକ ଦେଶ ଏହାକୁ ସଂଦେହ କରୁଛନ୍ତି । ଏହି କମ୍ପାନିର ପ୍ରତିଷ୍ଠାତା ରେନ ଜେନଫେଇ ଚୀନ ସେନାର ଇଂଜିନିୟରିଂ ଡିଭିଜନର ଜଣେ ପୂର୍ବତନ ଉପନିର୍ଦ୍ଦେଶକ ଥିଲେ । ନିକଟରେ ବ୍ରିଟେନ ନିଜ ଦେଶରେ ଚାଲିଥିବା ୫-ଜି ଦୌଡ଼ରୁ ବାଦ ଦେଇଛି । ଜାପାନ, ଅଷ୍ଟ୍ରେଲିଆ, ଆମେରିକା ଆଦି ଦେଶ ମଧ୍ୟ ହୁଆଏଇ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକେତ ଦେଇଛନ୍ତି ।

ସମ୍ବନ୍ଧିତ ଖବର