ଅନ୍ୟ ଦେଶଙ୍କୁ ୨୦ ବିଲିଅନ୍ ଡଲାର ଋଣ ଦେବ ଭାରତ: ବାଲାଂଦେଶ, ନେପାଳ, ଶ୍ରୀଲଙ୍କାକୁ ଅଧିକ ଋଣ

ଭୁବନେଶ୍ବର: ବିଶ୍ବର ବିଭିନ୍ନ ଦେଶ ସହିତ ଅର୍ଥନୈତିକ ସମ୍ପର୍କ ମଜଭୁତ କରିବା ଲାଗି ଭାରତ ସରକାର ଆସନ୍ତା ପାଞ୍ଚ ବର୍ଷ ଭିତରେ ପ୍ରାୟ ୨୦ ବିଲିଅନ୍ ଡଲାରର ‘ଲାଇନ୍ ଅଫ୍‌ କ୍ରେଡିଟ୍‌ (ଏଲ୍‌ଓସି) ବା ଋଣ ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି। ୨୦୦୩ ପରଠାରୁ କେନ୍ଦ୍ର ସରକାର ବିଶ୍ବର ମୋଟ ୬୪ଟି ଦେଶକୁ ୩୦ ବିଲିଅନ୍ ଡଲାରର ଋଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେଥି ମଧ୍ୟରୁ ୭.୭୦ ବିଲିଅନ୍ ଡଲାର ମଞ୍ଜୁର କରାଯାଇଛି। ଏବେ ୫.୭୦ ବିଲିଅନ୍ ଡଲାରର ଋଣ ଉପରେ ସରକାରଙ୍କୁ ସୁଧ ମିଳୁଛି।

ଆଜି ହୋଟେଲ୍ ମେ’ ଫେୟାରରେ ଏକ୍‌ଜିମ୍ ବ୍ୟାଙ୍କ ତରଫରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଉପଦେଷ୍ଟା (ଶକ୍ତି) ସନ୍ତୋଷ କୁମାର କହିଛନ୍ତି, ଭାରତ ସରକାର ପ୍ରଦାନ କରିଥିବା ଏଲ୍‌ଓସି ହାସଲ କରିବାରେ ‌ବାଲାଂଦେଶ, ନେପାଳ ଓ ଶ୍ରୀଲଙ୍କା ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି। ବାଲାଂଦେଶକୁ ସର୍ବାଧିକ ୭ ବିଲିଅନ୍ ଡଲାର, ନେପାଳକୁ ୧.୬ ବିଲିଅନ୍ ଡଲାର ଓ ଶ୍ରୀଲଙ୍କାକୁ ୧.୫ ବିଲିଅନ୍ ଡଲାରର ଋଣ ପ୍ରଦାନ କରାଯାଇଛି। ପଡ଼ୋଶୀ ଦେଶଗୁଡ଼ିକୁ ଋଣ ସହାୟତା ପ୍ରଦାନ କରିବା ଉପରେ ଭାରତ ସର୍ବାଧିକ ଗୁରୁତ୍ବ ଦେଉଛି। ଭାରତ ସରକାରଙ୍କ ଋଣ ସହାୟତା ଜରିଆରେ ବିଶ୍ବର ବିଭିନ୍ନ ଦେଶରେ ୭୦୦ରୁ ଅଧିକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସର୍ବାଧିକ ପ୍ରକଳ୍ପ ବାଲାଂଦେଶରେ କାର୍ଯ୍ୟକାରୀ କରାଯାଉଛି। ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଶକ୍ତି ‌କ୍ଷେତ୍ର ଆଦି ପାଇଁ ଭାରତ ସରକାର ସହାୟତା ପ୍ରଦାନ କରୁଛନ୍ତି। ନିକଟରେ ତିନୋଟି ନୂଆ କ୍ଷେତ୍ର ଯଥା ପ୍ରତିରକ୍ଷା, ସୌର ଶକ୍ତି ଓ ତୈଳ ବିଶୋଧନ ପ୍ରକଳ୍ପକୁ ଋଣ ସହାୟତା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଶ୍ରୀ କୁମାର କହିଛନ୍ତି ଯେ, ଏଲ୍‌ଓସି ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପକୁ ଭାରତୀୟ କନ୍‌ସଲଟାଣ୍ଟ୍‌ ଓ ଇପିସି କଣ୍ଟ୍ରାକ୍ଟରମାନେ କାର୍ଯ୍ୟକାରୀ କରୁଛନ୍ତି। ଏଲ୍‌ଓସି ପାଇଁ ସରକାରଙ୍କ ସହିତ ୧୧୫ କନସଲଟାଣ୍ଟ୍ ଓ ୧୬୫ରୁ ଅଧିକ କଂପାନି ପଞ୍ଜୀକୃତ ରହିଛନ୍ତି। ଏହି ଅବସରରେ ଏକ୍‌ଜିମ୍ ବ୍ୟାଙ୍କର ମହାପ୍ରବନ୍ଧକ ସରୋଜ ଖୁଣ୍ଟିଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର