ଖଣି କଂପାନିଗୁଡ଼ିକୁ ଆହ୍ବାନ : ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କର

ଭୁବନେଶ୍ୱର : ଖଣି କ୍ଷେତ୍ରରେ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଏକ ପ୍ରକାର ସ୍ଥିର ହୋଇଯାଇଛି ଖଣି କାର୍ଯ୍ୟରେ ଯନ୍ତ୍ରପାତିର ବ୍ୟବହାର ବଢ଼ିବା ପରେ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରର ଖଣି କ୍ଷେତ୍ରରେ ପ୍ରତ୍ୟକ୍ଷ ନିଯୁକ୍ତି ବହୁତ କମିଯାଇଛି କିଭଳି ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ସେ ଦିଗରେ ଧ୍ୟାନ ଦେବାକୁ ଓଡ଼ିଶାର ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର୍‌ କେ ଶର୍ମା ଖଣି କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ହୋଟେଲ୍ ମେ’ ଫେୟାର ଲାଗୁନ୍‌ରେ ଆୟୋଜନ କରାଯାଇଥିବା ଦ୍ୱିତୀୟ ଇଣ୍ଡିଆ ମାଇନ୍‌ଟେକ୍ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ସେ କହିଛନ୍ତି ଯେ, ଏବେବି ଅନେକ କ୍ଷେତ୍ର ରହିଛି ଯେଉଁଥିରେ ଖଣି କଂପାନିଗୁଡ଼ିକ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ। ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି ଖଣିଜ ସମ୍ପଦର ସଂରକ୍ଷଣ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ସମ୍ପର୍କ ବୃଦ୍ଧି ଆଦି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତରେ କେବଳ ଉଚ୍ଚ ମାନର ଖଣିଜ ପଦାର୍ଥକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିମ୍ନ ମାନର ଖଣିଜକୁ କିଭଳି ବ୍ୟବହାର କରାଯିବ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। ସେଥିପାଇଁ ଖଣି କଂପାନି ଓ ଗବେଷଣା ସଂସ୍ଥାଗୁଡ଼ିକ କିଛି ବାଟ ବାହାର କରିବା ଉଚିତ ବୋଲି ସେ କହିଛନ୍ତି। ଏହି ଅବସର‌ରେ ଜିଓଲୋଜିକାଲ୍ ସର୍ଭେ ଅଫ ଇଣ୍ଡିଆର ଡେପୁଟି ଡାଇରେକ୍ଟର, ଏଲ ଏଲ୍ ବିଶ୍ୱକର୍ମା, କଳିଙ୍ଗ କମର୍ସିଆଲ୍‌ କର୍ପୋରେସନ୍ ଲିମିଟେଡ୍‌ର ସ୍ବାଧୀନ ନିର୍ଦେଶକ ଡକ୍ଟର ଆର ସି ମହାନ୍ତି, ଟିଟିସିର ସହ-ପ୍ରତିଷ୍ଠାତା ଓ ପାର୍ଟନର୍ ଅଜୟ ପାଣ୍ଡେ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏମ୍‌ ସି ଥୋମାସ୍‌ ଓ ସହ ଅଧ୍ୟକ୍ଷ ଜେ ବି ପାଣି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର