ରାଜନଙ୍କ ପରେ ଅଭିଜିତଙ୍କ ସହ ରାହୁଲଙ୍କ ସାକ୍ଷାତକାର

ଭାରତକୁ ଦରକାର ବୃହତ ପ୍ୟାକେଜ୍

ନୂଆଦିଲ୍ଲୀ: କରୋନା ସଙ୍କଟରୁ ମୁକୁଳିବା ଲାଗି ଭାରତ ପାଇଁ ଦରକାର ବୃହତ ପ୍ୟାକେଜ୍। ଏହା ବ୍ୟତୀତ ଦେଶରେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦାରେ ବୃଦ୍ଧି ଆଣିବା ଲାଗି ଲୋକମାନଙ୍କ ହାତରେ ସିଧାସଳଖ ଟଙ୍କା ପହଞ୍ଚାଇବାକୁ ପଡ଼ିବ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ବେଳେ ଅଭିଜିତ କହିଛନ୍ତି ଯେ, ନଗଦ ଟଙ୍କା ହସ୍ତାନ୍ତର କେବଳ ଅତି ଗରିବଙ୍କ ଭିତରେ ସୀମିତ ରହିବା ଅନୁଚିତ।କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନଙ୍କ ସାକ୍ଷାତକାର ନେଇଥିବା ରାହୁଲଙ୍କ ଏହା ହେଉଛି ଦ୍ବିତୀୟ ସାକ୍ଷାତକାର। କରୋନା ସଙ୍କଟର ମୁକାବିଲା ଲାଗି ୬୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଦରକାର ବୋଲି ରାଜନ କହିଥିଲେ।

ଏବେ ଅଭିଜିତଙ୍କ ସହ ଆଲୋଚନା ବେଳେ ରାହୁଲ କହିଛନ୍ତି ଯେ, କରୋନା ସଙ୍କଟ ପ୍ରଭାବରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଅନେକ ସଂସ୍ଥା ଦେବାଳିଆ ଅବସ୍ଥାରେ ଅଛନ୍ତି। ଏହା ଦ୍ବାରା ଅନେକ ଲୋକ ଜୀବିକା ହରାଇବେ। ସେହି କଥାରେ ସହମତ ହୋଇ ଅଭିଜିତ କହିଥିଲେ ଯେ, ଏହି କାରଣ ପାଇଁ ବୃହତ ପ୍ୟାକେଜ୍‌ର ଆବଶ୍ୟକତା ରହିଛି ବୋଲି ଆମେ କହୁଛୁ। ଜାପାନ, ଆମେରିକା ଏବଂ ୟୁରୋପ ସେହି କାର୍ଯ୍ୟ କରୁଛନ୍ତି। ଆମେ ଏପର୍ଯ୍ୟନ୍ତ ଏକ ବୃହତ ପ୍ୟାକେଜ୍ ବିଷୟରେ ନିଷ୍ପତ୍ତି ନେଇନାହୁଁ। ଆମେରିକା ସରକାର ଜିଡିପିର ୧୦ ପ୍ରତିଶତ ଆକାରର ପ୍ୟାକେଜ୍ ଘୋଷଣା କରିଛନ୍ତି। ଭାରତ କିନ୍ତୁ ଜିଡିପିର ୧% ବିଷୟରେ ଚିନ୍ତା କରୁଛି। ଦେଶ‌ରେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବଢ଼ାଇବା ଲାଗି ଲୋକମାନଙ୍କ ହାତରେ କିଭଳି ଟଙ୍କା ଦିଆଯାଏ ତାହା ଆମେରିକା ଠାରୁ ଭାରତ ଶିକ୍ଷା କରିବା ଉଚିତ। ସମସ୍ତ ହାତକୁ ଟଙ୍କା ଗଲେ ସେମାନେ ଷ୍ଟୋର୍‌ରେ ପହଞ୍ଚି ବିଭିନ୍ନ ଜିନିଷ କିଣିପାରିବେ।

ଲୋକମାନଙ୍କ ହାତରେ ସିଧାସଳଖ ଟଙ୍କା ପହଞ୍ଚାଇବା ପାଇଁ ରାହୁଲ ପ୍ରସ୍ତାବ ଦେଇଥିବା ବେଳେ ସେ ସମ୍ପର୍କରେ ଅଭିଜିତ କହିଛନ୍ତି ଯେ, ହିତାଧିକାରୀମ‌ାନେ ଗରିବ ହୋଇଥିବା ଦରକାର। ତେବେ କେଉଁମାନେ ଏହି ଲାଭ ପାଇବେ ତାହାର ଏକ ମାନଦଣ୍ଡ ଧାର୍ଯ୍ୟ କରାଯିବା ଉଚିତ। ଲକ୍‌ଡାଉନ୍ ହଟାଇବା ସମ୍ପର୍କରେ ଅଭିଜିତ କହିଛନ୍ତି ଯେ, ରୋଗର ମାତ୍ରାକୁ ନଜରରେ ରଖି ଲକ୍‌ଡାଉନ୍ ପ୍ରତ୍ୟାହାର ହେବା ଦରକାର। ଅଧିକ ସଂକ୍ରମଣ ଥିବା ବେଳେ ଲକ୍‌ଡାଉନ୍ ଉଠାଇ ହେବନାହିଁ। ରାସନ କାର୍ଡ ସମସ୍ୟା ଯୋଗୁଁ ସମସ୍ତଙ୍କ ପାଖରେ ଖାଦ୍ୟଶସ୍ୟ ପହଞ୍ଚି ପାରୁନଥିବା ସମସ୍ୟା ସମ୍ପର୍କରେ ରାହୁଲ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଉତ୍ତରରେ ଅଭିଜିତ କହିଛନ୍ତି ଯେ ଏଥିପାଇଁ ସରକାରଙ୍କୁ ଅସ୍ଥାୟୀ ରାସନ କାର୍ଡ ଜାରି କରିବାକୁ ହେବ। ଯେଉଁମାନେ ଏହି କାର୍ଡ ପାଇବାକୁ ଚାହୁଛନ୍ତି ସେମାନଙ୍କୁ ତାହା ଦେବାକୁ ପଡ଼ିବ। ପ୍ରଥମେ ତିନି ମାସ ପାଇଁ ଏହି କାର୍ଡ ଜାରି କରାଯାଉ। ଯଦି ସ୍ଥିତି ନସୁଧୁରିବ ତେବେ ତାହାର ଅବଧିକୁ ଆଉ ତିନି ମାସ ବଢ଼ାଇବା ଉପରେ ବିଚାର କରାଯାଇପାରିବ। ସମସ୍ତଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା ଲାଗି ଆମ ପାଖରେ ଯଥେଷ୍ଟ ପରିମାଣର ସାମଗ୍ରୀ ମହଜୁଦ ରହିଛି ବୋଲି ସେ କହିଛନ୍ତି। ଜୀବିକା, ବାସସ୍ଥାନ ହରାଇ ଭୋକ ଉପାସରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରମିକମାନଙ୍କୁ ନିଜ ଘରେ ପହଞ୍ଚାଇବାର ଦାୟିତ୍ବ କେନ୍ଦ୍ର ସରକାର ନେବା ଦରକାର ବୋଲି ଅଭିଜିତ କହିଛନ୍ତି।

ସମ୍ବନ୍ଧିତ ଖବର