ନୂଆଦିଲ୍ଲୀ: କରୋନା ସଙ୍କଟ ଦୂର ହେବା ପରେ ଅର୍ଥନୀତିକୁ ଆଗକୁ ବଢ଼ାଇବାକୁ ହେଲେ ଭାରତକୁ ନୂଆ ସଂକଳ୍ପ ନେବାକୁ ପଡ଼ିବ। ଚଳିତ ଦଶନ୍ଧୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁଭଳି ଅଭିବୃଦ୍ଧି ହୋଇଥିଲା ସେହି ସଫଳତା ଦୋହରାଇବାକୁ ହେଲେ ପୁରଣା ଢାଞ୍ଚାକୁ ବଦଳାଇବାକୁ ପଡ଼ିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।
ଇଟି ନାଓ ସହିତ ସାକ୍ଷାତକାରରେ ରାଜନ କହିଛନ୍ତି, ଭାରତ ଏହାର ଅର୍ଥନୀତିକୁ ପୁନର୍ବାର ଗତିଶୀଳ କରିବା ବେଳେ ଉଭୟ ଜୀବନ ଓ ଜୀବିକା ରକ୍ଷା କରିବା ଉପରେ ଗୁରୁତ୍ବ ଦେବା ଦରକାର। କରୋନା ସଙ୍କଟ ଆସିବା ପୂର୍ବରୁ ଯେଉଁଭଳି ଆର୍ଥିକ ସ୍ଥିତି ଓ ସମସ୍ୟା ସେହି ସମାନ ଢାଞ୍ଚାରେ ସଙ୍କଟ ଟଳିବା ପରେ ଆଗକୁ ବଢ଼ି ହେବ ନାହିଁ। ସଂସ୍କାର ଆଣିବାକୁ ପଡ଼ିବ। ସେହି ସଂସ୍କାର ଯେଭଳି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ରାଜନୈତିକ ସ୍ତରରେ ସହମତି ଦରକାର ହେବ। ତାହା କିଭଳି ହାସଲ ହେବ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ବୋଲି ରାଜନ କହିଛନ୍ତି। ଯଦି ଆବଶ୍ୟକ ସଂସ୍କାର ଆଣିବାରେ ଭାରତ ବିଫଳ ହେବ ତେବେ ତାହା କେବଳ ଘୁଷୁରି ଘୁଷୁରି ଆଗକୁ ବଢ଼ିବ। ଦେଶରେ ଯୁବବର୍ଗଙ୍କ ସଂଖ୍ୟା ଯେତେ ଅଧିକ ତାହାକୁ ଦୃଷ୍ଟି ଦେଲେ ଏଭଳି ମନ୍ଥର ଅଭିବୃଦ୍ଧିକୁ ଭାରତ ସହ୍ୟ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଲକ୍ଡାଉନ୍ ପରେ ଦେଶର କମ୍ ସମ୍ବେଦନଶୀଳ ଅଞ୍ଚଳକୁ ପ୍ରଥମେ ଖୋଲିବା ସହିତ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭାରତ ଦୀର୍ଘ ସମୟ ପର୍ଯ୍ୟନ୍ତ ଲକ୍ଡାଉନ୍ରେ ରହିପାରିବ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନର ସଙ୍କଟ ଯଦିଓ ମୁଦ୍ରାସ୍ଫୀତି ଉପରେ ବିଶେଷ ପ୍ରଭାବ ପକାଉନାହିଁ ତଥାପି ଏହାକୁ ନିୟନ୍ତ୍ରଣରେ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଦରକାର। ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଦେଶର ଆର୍ଥିକ ଓ ବିତ୍ତୀୟ ସ୍ଥିରତା ବଜାୟ ରହିବ ବୋଲି ନିବେଶକମାନଙ୍କ ମନରେ ବିଶ୍ବାସ ସୃଷ୍ଟି କରିବା ଲାଗି ଏହା କରିବାକୁ ପଡ଼ିବ ବୋଲି ରାଜନ କହିଛନ୍ତି। ସେ ସରକାରଙ୍କୁ ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ ଆର୍ଥିକ ପ୍ୟାକେଜ୍ ପ୍ରସ୍ତୁତ କରିବା ବେଳେ ଅଧିକ ସାବଧାନତା ଗ୍ରହଣ କରିବାର ଆବଶ୍ୟକତା ରହିଛି। ଅନ୍ୟଥା ଦେଶର ମୁଦ୍ରା ବିନିମୟ ମୂଲ୍ୟ ଅସ୍ଥିର ହୋଇପଡ଼ିବ ଓ ସୁଧ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/raghuram-rajan.jpg)