ଭାରତ-ନେପାଳ ପେଟ୍ରୋଲିୟମ ପାଇପଲାଇନ୍ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଭାରତର ମୋତିହାରିରୁ ନେପାଳର ଅମଲେଖଗଞ୍ଜ ପର୍ଯ୍ୟନ୍ତ ଦକ୍ଷିଣ ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ନେପାଳ ପ୍ରତିପକ୍ଷ କେପି ଶର୍ମା ଓଲି ମିଳିତ ଭାବେ ଉଦଘାଟନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବାରୁ ନେପାଳ ପ୍ରଧାନମନ୍ତ୍ରୀ ଓଲି ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମବୀ ମୋଦୀ କହିଥିଲେ ଯେ ୬୯ କିମି ଲମ୍ବ ମୋତିହାରି-ଅମଲେଖଗଞ୍ଜ ପାଇପଲାଇନର ବାର୍ଷିକ କ୍ଷମତା ୨ ନିୟୁତ ମେଟ୍ରିକ ଟନ । ଏହା ନେପାଳର ଲୋକମାନଙ୍କୁ ସୁଲଭ ଦରରେ ସ୍ୱଚ୍ଛ ପେଟ୍ରୋଲିୟମ ଉତ୍ପାଦ ଯୋଗାଇ ଦେବ । ନେପାଳରେ ପେଟ୍ରୋଲିୟମ ଉତ୍ପାଦ ଦର ଲିଟର ପିଛା ୨ ଟଙ୍କା କମାଇବା ଲାଗି ପ୍ରଧାନମନ୍ତ୍ରୀ ଓଲି କରିଥିବା ଘୋଷଣାକୁ ସେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଉଚ୍ଚ ରାଜନୈତିକ ସ୍ତରରେ ନିୟମିତ ସମ୍ପର୍କ ସ୍ଥାପନ ଫଳରେ ଭାରତ-ନେପାଳ ଭାଗିଦାରୀ ଅଧିକ ସମ୍ପ୍ରସାରିତ ହେବାର ମାର୍ଗ ପ୍ରଶସ୍ତ ହୋଇଛି । ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ନିବିଡ଼ ତଥା ବିବିଧ କ୍ଷେତ୍ରକୁ ସମ୍ପ୍ରସାରିତ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେପାଳ ଗସ୍ତ ଲାଗି ପ୍ରଧାନମନ୍ତ୍ରୀ ଓଲି ଆମନ୍ତ୍ରଣ କରିଥିଲେ ଏବଂ ଏହାକୁ ମୋଦୀ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର