ୱାସିଂଟନ: ଆମେରିକା ଓ ସ୍ବିଜରଲ୍ୟାଣ୍ଡ୍ରେ କିଛି ବ୍ୟାଙ୍କ ବିଫଳ ହେବା ପରେ ତାହାର କୌଣସି ପ୍ରଭାବ ଭାରତ ଉପରେ ପଡ଼ିନାହିଁ ବୋଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଏହି ଘଟଣା ପୁଣି ଥରେ ଏକ ସ୍ଥିର ଓ ସୁଦୃଢ଼ କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି। ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବେଶ ଦୃଢ଼ ଓ ସ୍ଥିର ବୋଲି ସେ କହିଛନ୍ତି। ବ୍ୟାଙ୍କର ବିଭିନ୍ନ ମାନଦଣ୍ଡ ଯଥା ପୁଞ୍ଜି ସ୍ବଚ୍ଛଳତା, ଏନ୍ପିଏ, ସୁଧ ମାର୍ଜିନ୍, ଲାଭ ଓ ଅନ୍ୟ ଯକୌଣସି ମାନଦଣ୍ଡ ଅନୁସାରେ ଦେଖିଲେ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ବେଶ ସୁସ୍ଥକର ଜଣାପଡ଼ୁଛି ବୋଲି ସେ କହିଛନ୍ତି। ବ୍ୟାଙ୍କ ବ୍ୟବସ୍ଥାର ପ୍ରତିଟି ଦିଗ ଉପରେ ରିଜର୍ଭ ବ୍ୟାଙ୍କ କଡ଼ା ନଜର ରଖି କାମ କରୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ କିଛି ଦିନ ପୂର୍ବେ ଆମେରିକାରେ ସିଲିକନ୍ ଭାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ହଠାତ୍ ବୁଡ଼ିଯିବାରୁ ବିଶ୍ବବ୍ୟାପୀ ବ୍ୟାଙ୍କ ଶିଳ୍ପରେ ଭୟ ସୃଷ୍ଟି ହୋଇଥିଲା। ୨୦୦୮ରେ ଲେହମ୍ୟାନ୍ ବ୍ରଦର୍ସ ବୁଡ଼ିବା ପରେ ଯେଭଳି ମାନ୍ଦାବସ୍ଥା ମାଡ଼ି ଆସିଥିଲା ପୁଣି ସେଭଳି ସଙ୍କଟ ଦେଖାଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସ୍ବିଜରଲ୍ୟାଣ୍ଡ୍ରେ କ୍ରେଡିଟ୍ ସୁଇସ୍ ବୁଡ଼ିଯାଇଥିଲା। ୟୁବିଏସ୍ ଜରିଆରେ ସ୍ବିଜରଲ୍ୟାଣ୍ଡ୍ ସରକାର ତାହାକୁ ଉଦ୍ଧାର କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp