ଜେନେଜୁଏଲା କଟକଣାର ପ୍ରଭାବ: ବ୍ରାଜିଲ୍‌, ମେକ୍ସିକୋରୁ ଅଧିକ ତେଲ କିଣାହେବ

ନୂଆଦିଲ୍ଲୀ: ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତ ପାଇଁ ବହୁତ ଅସୁବିଧା ସୃଷ୍ଟି ହେଉଛି। ପୂର୍ବରୁ ଇରାନ ଉପରେ ଆମେରିକା କଟକଣା ଲଗାଇଥିବାରୁ ଭାରତକୁ ଅନ୍ୟ ଦେଶଗୁଡ଼ିକ ଠାରୁ ଅଧିକ ତେଲ କିଣିବାକୁ ପଡ଼ିଥିଲା। ଏବେ ଭେନେଜୁଏଲା ଉପରେ ଆମେରିକା କଟକଣା ଜାରି କରିଛି। ତେଣୁ ଏହି ଦେଶରୁ ଭାରତ ଆଉ ଅଧିକ ତେଲ କିଣିପାରିବ ନାହିଁ। ଏହା ଦ୍ବାରା ‌ତେଲକୁ ନେଇ ଯେଉଁ ଅଭାବ ସୃଷ୍ଟି ହେବ ତାହାକୁ ବ୍ରାଜିଲ୍ ଏବଂ ମେକ୍ସିକୋ ଜରିଆରେ ପୂରଣ କରିବା ଉପରେ ସରକାର ବିଚାର କରୁଛନ୍ତି। ତୈଳ ଉତ୍ପାଦନ କ୍ଷେତ୍ରରେ ବିଶ୍ବ ସ୍ତରରେ ବ୍ରାଜିଲ୍ ଦଶମ ଏବଂ ମେକ୍ସିକୋ ଏକାଦଶତମ ସ୍ଥାନରେ ରହିଛନ୍ତି। ଭାରତ ସହିତ ଏହି ଦୁଇ ଦେଶର ଦ୍ବିପାକ୍ଷିକ ବାଣିଜ୍ୟ କାରବାର ମଧ୍ୟ ବହୁତ ଭଲ ରହିଛି। ଭେନେଜୁଏଲା ସଙ୍କଟର ଲାଭ ଉଠାଇବାକୁ ଏହି ଦୁଇ ଦେଶ ପ୍ରସ୍ତୁତ ହୋଇଯାଇଛନ୍ତି। କିଛି ବର୍ଷ ପୂର୍ବେ ଉଭୟ ବ୍ରାଜିଲ୍ ଓ ମେକ୍ସିକୋ ଠାରୁ ଭାରତ ବିପୁଳ ପରିମାଣର ତେଲ କିଣୁଥିଲା। କିନ୍ତୁ, ୨୦୧୩ ପରେ ସେମାନଙ୍କ ଠାରୁ ତେଲ କିଣା କମାଇ ଦେଇଥିଲା। ଗତବର୍ଷ ଭାରତ ୧୫୫ ନିୟୁତ ଟନ୍‌ ତେଲ ଅଶୋଧିତ ତେଲ ଆମଦାନି କରିଥିଲା। ଚଳିତ ବର୍ଷ ୧୭୦ ନିୟୁତ ଟନ୍ ତେଲ କିଣିବାକୁ ଭାରତ ଲକ୍ଷ୍ୟ ରଖିଛି। ସାଉଦି ଆରବ, ଇରାକ ଓ ଇରାନରୁ ସର୍ବାଧିକ ତେଲ କିଣାହେବ। ଏହା ବାଦ ଭେନେଜୁଏଲାର ଯେଉଁ ତେଲ କିଣା ହେଉଥିବା ତାହାକୁ ବ୍ରାଜିଲ୍ ଓ ମେକ୍ସିକୋ ଜରିଆରେ ପୂରଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି।

ଭାରତର ଦୁଇ ଘରୋଇ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ନୟାରା ଏନର୍ଜି ଭେନେଜୁଏଲାରୁ ତେଲ କିଣୁଥିଲେ। ଏହି ଦେଶରୁ କିଣା‌ ହେଉଥିବା ୮୦% ତେଲ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କିଣୁଥିଲା। କିଛି ମାସ ହେଲାଣି ସେମାନେ ଭେନେଜୁଏଲାରୁ ତେଲ କିଣା କମାଇ ଦେଇଛନ୍ତି। ପୂର୍ବରୁ ଇରାନରୁ ତେଲ କିଣିବା ପରିମାଣ ଭାରତ ବହୁତ କମାଇ ସାରିଛି। ଇରାନ ଉପରେ ମଧ୍ୟ ଆମେରିକା ପକ୍ଷରୁ ବାଣିଜ୍ୟ କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର