୩ୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୦.୪ %, ବୈଷୟିକ ମାନ୍ଦାବସ୍ଥାରୁ ମୁକୁଳିଲା ଭାରତ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସ (ଅକ୍ଟୋବର-ଡିସେମ୍ବର) ରେ ଭାରତୀୟ ଅର୍ଥନୀତିରେ ସୁଧାରର ଲକ୍ଷଣ ଦେଖାଦେଇଛି । ଆଜି ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୦.୪ ପ୍ରତିଶତ ରହିଥିବା ଆକଳନ କରାଯାଇଛି ।

କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ର ପ୍ରଥମ ଦୁଇଟି ତ୍ରୈମାସରେ ଦେଶର ଡିଜିପି ଅଭିବୃଦ୍ଧି ହାର ନକାରାତ୍ମକ ସ୍ତରରେ ରହିଥିଲା । ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି ଅଭିବୃଦ୍ଧି ୨୪.୪ ପ୍ରତିଶତ ହ୍ରାସ ପାଇଥିଲା । ୨ୟ ତ୍ରୈମାସରେ ସ୍ଥିତିରେ ଟିକିଏ ଉନ୍ନତି ଆସିଥିଲେ ମଧ୍ୟ ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଥିଲା । ଏହା ଫଳରେ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଅର୍ଥନୀତି ବୈଷୟିକ ମାନ୍ଦାବସ୍ଥାରେ ପ୍ରବେଶ କରିଛି ବୋଲି ରିଜର୍ଭ ବ୍ୟାଙ୍କ ଗତ ନଭେମ୍ବର ମାସରେ ଘୋଷଣା କରିଥିଲା । ଗୋଟିଏ ଅର୍ଥନୀତିର ଅଭିବୃଦ୍ଧି କ୍ରମାଗତ ୬ମାସ ଧରି ଶୂନ ତଳକୁ ରହିଲେ ତାହା ବୈଷୟିକ ମାନ୍ଦାବସ୍ଥାରେ ରହିଛି ବୋଲି କୁହାଯାଏ ।

ଏବେ ୩ୟ ତ୍ରୈମାସରେ ସ୍ଥିତିରେ ଆହୁରି ଉନ୍ନତି ଆସି ଜିଡିପି ଅଭିବୃଦ୍ଧି ସକାରାତ୍ମକ ସ୍ତରକୁ ଫେରିଛି । ଫଳରେ ଭାରତ ବୈଷୟିକ ମାନ୍ଦାବସ୍ଥାରୁ ବାହାରି ଆସିଛି । ଏହା ସରକାରଙ୍କ ପାଇଁ ଆଶା ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର