ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ରବିବାର ଦିନ ଫାଇନାଲ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ଉଭୟ ଚିରପ୍ରତିଦ୍ବନ୍ଦ୍ବୀ ତୃତୀୟ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବ ଦୁଇଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା। ହାଇ ଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚ୍କୁ ନେଇ ବିଜ୍ଞାପନ ଦୁନିଆ ବେଶ୍ ସରଗରମ ହୋଇପଡ଼ିଛି। କନେକ୍ଟେଡ୍ ଟିଭିରେ ୧୦ ସେକେଣ୍ଡ ବିଜ୍ଞାପନ ଦାମ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଏସିଆ କପ୍ରେ ସେହି ବିଜ୍ଞାପନ ଦାମ ୮-୧୦ ଲକ୍ଷ ଟଙ୍କା ମଧ୍ୟରେ ଥିଲା। ସେହି ସମୟରେ ଲିନିୟର ଟିଭିରେ ବିଜ୍ଞାପନ ଦର ମଧ୍ୟ ୬୬ ପ୍ରତିଶତ ବଢ଼ିଛି। ମୋବାଇଲ୍ରେ ବିଜ୍ଞାପନ ଦର ପ୍ରତି ୧୦୦୦ ଥର ଭିଉ ପାଇଁ ୬୦୦ ଟଙ୍କା ରହିଛି।
ଏସିଆ କପ୍ ଆରମ୍ଭ ହେବା ପରଠାରୁ କରମର୍ଦ୍ଦନକୁ ନେଇ ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହାପରେ ଅନେକ ଘଟଣା ଘଟିଛି ଯାହା ଫଳରେ ଦୁଇ ଦେଶର ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ଯେହେତୁ ବହୁ ସଂଖ୍ୟାରେ ଲୋକ ମ୍ୟାଚ୍ ଦେଖିବାର ସମ୍ଭାବନା ରହିଛି, ତେଣୁ କମ୍ପାନିଗୁଡ଼ିକ ନିଜେ ଚାହୁଥିବା ଗ୍ରାହକମାନଙ୍କ ମଧ୍ୟରେ ସେମାନଙ୍କ ଉତ୍ପାଦ ଓ ସେବାର ପ୍ରଚାର ପାଇଁ ଏହାକୁ ଉପଯୁକ୍ତ ସମୟ ଭାବେ ବିବେଚନା କରୁଛନ୍ତି। ସେଥିପାଇଁ ମ୍ୟାଚ୍ ବେଳେ ବିଜ୍ଞାପନ ସ୍ଲଟ୍ ପାଇବାକୁ ବ୍ରାଣ୍ଡ୍ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି।
ପୂର୍ବ ଏସିଆ କପ୍ ସମୟରେ ଲିନିୟର ଟିଭିରେ ୧୦ ସେକେଣ୍ଡ ବିଜ୍ଞାପନ ଦାମ୍ ୧୨-୧୫ ଲକ୍ଷ ଟଙ୍କା ମଧ୍ୟରେ ଥିଲା। ଏଥର ମ୍ୟାଚ୍ ପାଇଁ ସେହି ଦର ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାରତ-ପାକ୍ ଫାଇନାଲ ମ୍ୟାଚ୍ରେ ବିଜ୍ଞାପନ ଦେବା ଲାଗି ଏଫ୍ଏମ୍ସିଜି, ଅଟୋମୋବାଇଲ୍, ମୋବାଇଲ୍ ହ୍ୟାଣ୍ଡ୍ସେଟ୍, କଞ୍ଜ୍ୟୁମର ଡ୍ୟୁରେବଲ୍, ଆର୍ଥିକ ସେବା ଓ ବୀମା କମ୍ପାନିଗୁଡ଼ିକ ଅଧିକ ଆଗ୍ରହ ଦେଖାଇଛନ୍ତି। ଦେଶରେ କନେକ୍ଟେଡ୍ ଟିଭି ଓ ମୋବାଇଲ୍ ଡିଭାଇସ୍ ସଂଖ୍ୟା ବେଶ୍ ବଢ଼ିଯାଇଥିବାରୁ, ସେହି ପ୍ଲାଟ୍ଫର୍ମଗୁଡ଼ିକରେ ମଧ୍ୟ ବିଜ୍ଞାପନ ଦର ବୃଦ୍ଧି ପାଇଛି।