ଭାରତର ଅଭିବୃଦ୍ଧି ହାର ଚୀନକୁ ଟପିଲା

ନୂଆଦିଲ୍ଲୀ : ଭାରତର ଆର୍ଥିକ ଅଭିବୃଦ୍ଧି ଚୀନକୁ ଟପିଯାଇଛି । ଚଳିତ ଆର୍ଥିକ ବର୍ଷର ୩ୟ ତିନିମାସ (ଅକ୍ଟୋବର-ଡିସେମ୍ବର) ରେ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ରହିଛି । ଏହି ସମୟରେ ଚୀନର ଜିଡିପି ଅଭିବୃଦ୍ଧି ୬.୮ ପ୍ରତିଶତ ରହିଛି ।ଏହା ସହିତ ଅର୍ଥନୀତି ଉପରେ ବିମୁଦ୍ରାୟନ ଓ ଜିଏସଟିର ନକାରାତ୍ମକ ପ୍ରଭାବ ହ୍ରାସ ପାଇଥିବା ଆକଳନ କରାଯାଉଛି । ୨୦୧୬ର ଜାନୁୟାରୀ-ମାର୍ଚ୍ଚ ତିନିମାସରେ ମଧ୍ୟ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚୀନକୁ ଟପିଯାଇଥିଲା । କେନ୍ଦ୍ର ସରକାରଙ୍କ ଅଧିନସ୍ଥ କେନ୍ଦ୍ରୀୟ ପରିସଂଖ୍ୟାନ ଅଫିସର ଅଟକଳ ମୁତାବକ ଚଳିତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବା ଆଶା କରାଯାଉଛି । ପୂର୍ବରୁ ଏହା ୬.୫ ପ୍ରତିଶତ ରହିବା ଅଟକଳ କରାଯାଇଥିଲା । ଜିଡିପି ଅଭିବୃଦ୍ଧିରେ ଉନ୍ନତି ଦେଖାଯିବା ଦ୍ୱାରା କେନ୍ଦ୍ରର ମୋଦି ସରକାରଙ୍କ ପାଇଁ ଏକ ବଡ଼ ନୈତିକ ସହାୟତା ମିଳିବା ଆଶା କରାଯାଉଛି । କାରଣ ପିଏନବି ଓ ଅନ୍ୟ କେତେକ ବ୍ୟାଙ୍କରେ ଦେଖାଯାଇଥିବା ଦୁର୍ନୀତିକୁ ନେଇ ମୋଦି ସରକାର ଏବେ ଚିନ୍ତାରେ ଅଛନ୍ତି ।

ଅନ୍ୟପକ୍ଷରେ ଗତ ଜାନୁୟାରୀ ମାସରେ ଦେଶର ୮ଟି ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ୬.୭ ପ୍ରତିଶତ ରହିଛି ଯାହାକି ଜାନୁୟାରୀ ୨୦୧୭ରେ ମାତ୍ର ୩.୪ ପ୍ରତିଶତ ଥିଲା ।

ସମ୍ବନ୍ଧିତ ଖବର