ମୁଣ୍ଡପିଛା ଜିଡିପିରେ ଭାରତର ସ୍ଥାନ ୧୨୯: ସବା ଉପରେ ଲକଜେମ୍‌ବର୍ଗ

ନୂଆଦିଲ୍ଲୀ: ମୁଣ୍ଡପିଛା ଜିଡିପିରେ ଭାରତର ସ୍ଥାନ ବିଶ୍ବରେ ୧୨୯। କ୍ରୟ ଶକ୍ତି ସମତା (ପିପିପି) ମୂଲ୍ୟରେ ହୋଇଥିବା ଏକ ହିସାବରୁ ଏହା ଜଣାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ଏପ୍ରିଲ ୨୦୨୪ ତଥ୍ୟ ଆଧାରରେ ୟର୍ଣ୍ଣଷ୍ଟ ଆଣ୍ଡ୍‌ ୟଙ୍ଗ ଏହା କହିଛି। ବିଶ୍ବର ଅର୍ଥନୀତିର ଆକାର ଦୃଷ୍ଟିରୁ ଆମେରିକା ସବା ଉପରେ ଥିଲେ ମଧ୍ୟ ମୁଣ୍ଡପିଛା ଜିଡିପିରେ ୟୁରୋପର ଛୋଟ ଦେଶ ଲକ୍‌ଜେମ୍‌ବର୍ଗ ଶୀର୍ଷରେ ରହିଛି। ଏହି ଦେଶର ମୁଣ୍ଡପିଛା ଜିଡିପି ୧,୪୩,୭୪୨.୬୯ ଡଲାର ରହିଛି। ସେହିଭଳି ଦ୍ବିତୀୟ ସ୍ଥାନରେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ର ଆୟର୍ଲ୍ୟାଣ୍ଡ୍‌ ଦ୍ବିତୀୟ ସ୍ଥାନରେ ରହିଛି। ଆଇଏମ୍‌ଏଫ୍‌ର ତଥ୍ୟ ଅନୁଯାୟୀ, ଏହି ଦେଶର ମୁଣ୍ଡପିଛା ଜିଡିପି ୧,୩୩,୮୯୫.୩୧୫ ଡଲାର ବୋଲି ଦର୍ଶାଯାଇଛି। ତୃତୀୟ ସ୍ଥାନରେ ସିଙ୍ଗାପୁର ରହିଛି। ଏହି ଦେଶର ମୁଣ୍ଡପିଛା ଜିଡିପି ୧,୩୩,୭୩୭.୪୬୯ ଡଲାର। ଚୀନର ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ମକାଉର ମୁଣ୍ଡପିଛା ଜିଡିପି ୧,୩୪,୧୪୦.୯୨୯ ଡଲାର ରହିଛି। ଫଳରେ ମକାଉ ଚତୁର୍ଥ ସ୍ଥାନରେ ଅଛି।

ମଧ୍ୟପ୍ରାଚ୍ୟ ଦେଶ କତର ମୁଣ୍ଡପିଛା ଜିଡିପିରେ ବିଶ୍ବରେ ୫ମ ସ୍ଥାନ ହାସଲ କରିଛି। ଏହାର ମୁଣ୍ଡପିଛା ଜିଡିପି ୧,୧୨,୨୮୨.୯୧୭ ଡଲାର ବୋଲି ଧାର୍ଯ୍ୟ କରାଯାଇଛି। ଷଷ୍ଠ ସ୍ଥାନରେ ସଂଯୁକ୍ତ ଆରବ ଏମିରେଟ୍‌ସ (୯୬,୮୪୫.୮୪୯ ଡଲାର), ସପ୍ତମ ସ୍ଥାନରେ ୟୁରୋପୀୟ ଦେଶ ସ୍ବିଜରଲ୍ୟାଣ୍ଡ୍‌ (୯୧୯୩୧.୭୫୨ ଡଲାର) ଅଷ୍ଟମ ସ୍ଥାନରେ ୟୁରୋପୀୟ ଦେଶ ସାନ୍‌ ମେରିନୋ (୮୬,୯୮୮.୯୯୯ ଡଲାର), ନବମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା (୮୫, ୩୭୨.୬୮୬ ଡଲାର) ଏବଂ ଦଶମ ସ୍ଥାନରେ ନରୱେ ( ୮୨,୮୩୧.୭୭୭ ଡଲାର) ରହିଛି। ମୁଣ୍ଡପିଛା ଜିଡିପିରେ ଭାରତ ବହୁ ପଛରେ ଅର୍ଥାତ ୧୨୯ତମ ସ୍ଥାନରେ ରହିଛି। ଭାରତର ମୁଣ୍ଡପିଛା ଜିଡିପି ୧୦,୧୨୨.୯୫୧ ଡଲାର। ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ ହୋଇଥିଲେ ମଧ୍ୟ ମୁଣ୍ଡପିଛା ଜିଡିପିରେ ଭାରତ ଅନେକ ତଳେ ରହିଛି।

ସମ୍ବନ୍ଧିତ ଖବର