ନୂଆଦିଲ୍ଲୀ: ଭାରତରେ ଲୋକମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ବହୁଦିନରୁ ରହିଛି। ଆଧୁନିକ ଯୁଗରେ ହୋଇଥିବା ଆର୍ଥିକ ପରିବର୍ତ୍ତନ ସତ୍ତ୍ବେ ଲୋକଙ୍କ ସଞ୍ଚୟ ମାନସିକତା ସେତେଟା ବଦଳିନାହିଁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ସଞ୍ଚୟ ହାର ୩୦.୨ ପ୍ରତିଶତ ରହିଛି, ଯାହାକି ବିଶ୍ବର ହାରାହାରି ସଞ୍ଚୟ ହାର ୨୮.୨ ପ୍ରତିଶତ ଠାରୁ ଅଧିକ। ଏହାଦ୍ବାରା ସଞ୍ଚୟ ହାର କ୍ଷେତ୍ରରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଚୀନ୍ ରହିଛି। ଚୀନର ସଞ୍ଚୟ ହାର ୪୬.୬ ପ୍ରତିଶତ ଥିବାବେଳେ ଇଣ୍ଡୋନେସିଆର ୩୮.୧ ପ୍ରତିଶତ ଏବଂ ରୁଷ୍ର ୩୧.୭ ପ୍ରତିଶତ ରହିଛି।
ଦେଶରେ ଲୋକଙ୍କ ସଞ୍ଚୟ ଅଭ୍ୟାସରେ ପରିବର୍ତ୍ତନ ଆସିଛି। ଲୋକମାନେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଦିଗ ଉପରେ ଗୁରୁତ୍ବ ଦେଉଛନ୍ତି। ୨୦୧୧ ମସିହାରେ ୫୦ ପ୍ରତିଶତ ସାବାଳକଙ୍କ ପାଖରେ ଆନୁଷ୍ଠାନିକଭାବେ ଆର୍ଥିକ ଆକାଉଣ୍ଟ୍ ଥିବାବେଳେ ସଂପ୍ରତି ଏହା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି। ପାରମ୍ପରିକ ସଞ୍ଚୟ ଧାରା ଯଥା ବ୍ୟାଙ୍କ ଜମା ଏବଂ ପାଖରେ ନଗଦ ଅର୍ଥ ରଖିବା ଆଦି ଏବେ ବି ଜାରି ରହିଥିଲେ ମଧ୍ୟ ନୂଆ ନୂଆ ନିବେଶ ପନ୍ଥାଗୁଡ଼ିକୁ ସଞ୍ଚୟକାରୀମାନେ ଆପଣାଉଛନ୍ତି। ମ୍ୟୁଚୁଆଲ ଫଣ୍ଡ୍ ଏବଂ ଇକ୍ବିଟି ପ୍ରତି ଲୋକଙ୍କ ପସନ୍ଦ ବଢ଼ୁଛି। ସିଷ୍ଟମେଟିକ୍ ଇନଭେଷ୍ଟ୍ମେଣ୍ଟ୍ ପ୍ଲାନ୍ (ଏସ୍ଆଇପି) ପଞ୍ଜୀକରଣ ସଂଖ୍ୟା ୨୦୧୭-୧୮ ତୁଳନାରେ ୪ ଗୁଣା ବୃଦ୍ଧି ପାଇ ୪.୮ କୋଟିରେ ପହଞ୍ଚିଛି। ଷ୍ଟକ୍ ଓ ଡିବେଞ୍ଚରରେ ମଧ୍ୟ ନିବେଶ ବଢ଼ିଛି। ଫଳରେ ସଞ୍ଚୟ ରଣନୀତିରେ ବଡ଼ଧରଣର ପରିବର୍ତ୍ତନ ଆସିଛି। ୧୦ ବର୍ଷ ପୂର୍ବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ସେୟାର ଓ ଡିବେଞ୍ଚରର ଯୋଗଦାନ ମାତ୍ର ୦.୨ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୩-୨୪ ଆର୍ଥିକବର୍ଷରେ ଏହା ୧ ପ୍ରତିଶତକୁ ବୃଦ୍ଧି ପାଇଛି।
ଏହାବ୍ୟତୀତ ରିପୋର୍ଟରୁ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ତାହା ହେଲା ଭାରତରେ ଲୋକଙ୍କ ନିଟ୍ ଆର୍ଥିକ ସଞ୍ଚୟ( ଘରୋଇ ସଞ୍ଚୟର ଯେଉଁ ଅଂଶ ଆର୍ଥିକ ସଂପତ୍ତିରେ ନିବେଶ ହେଉଛି)ରେ ବଡ଼ଧରଣର ବୃଦ୍ଧି ଦେଖାଦେଇଛି। ୨୦୧୩-୧୪ ଆର୍ଥିକବର୍ଷରେ ନିଟ୍ ଆର୍ଥିକ ସଞ୍ଚୟ ୩୬ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୦-୨୧ରେ ଏହା ୫୨ ପ୍ରତିଶତ ସ୍ତରକୁ ବୃଦ୍ଧି ପାଇଛି। ଅବଶ୍ୟ ୨୦୨୧-୨୨ ଓ ୨୦୨୨-୨୩ରେ ଏଥିରେ ସାମାନ୍ୟ ହ୍ରାସ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/25/zGEIicHUNPYUTOImrgeP.jpg)