ସୁନା ବିଶୋଧନରେ ଭାରତ ବିଶ୍ବରେ ଚତୁର୍ଥ: ପ୍ରଥମ ସ୍ଥାନରେ ଚୀନ, ଦ୍ବିତୀୟରେ ଇଟାଲି

ନୂଆଦିଲ୍ଲୀ: ଭାରତର ସୁନା ବିଶୋଧନ ଶିଳ୍ପ ସଂପ୍ରତି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏ କ୍ଷେତ୍ରରେ ବିଶ୍ବରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଉପରେ ଯଥାକ୍ରମେ ଚୀନ, ଇଟାଲି ଓ ଯୁକ୍ତରାଷ୍ଟ୍ର ଆମେରିକା ରହିଛନ୍ତି। ସେହିଭଳି ସୁନା ପୁନଃଚକ୍ରଣ କ୍ଷେତ୍ରରେ ବି ଭାରତ ଚତୁର୍ଥ ସ୍ଥାନରେ ରହିଛି। ୨୦୨୧ ମସିହାରେ ଭାରତ ୭୫ ଟନ୍ ସୁନାର ପୁନଃଚକ୍ରଣ କରିଛି। ଚୀନ ୧୬୮ ଟନ୍ ସୁନା ପୁନଃଚକ୍ରଣ କରି ପ୍ରଥମ ସ୍ଥାନରେ ଥିବାବେଳେ ଇଟାଲି ୮୦ ଟନ ସହିତ ଦ୍ବିତୀୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ୭୮ ଟନ୍ ସହିତ ତୃତୀୟ ସ୍ଥାନରେ ରହିଛି। ୱାର୍ଲଡ ଗୋଲ୍‌ଡ କାଉନସିଲ୍‌ ପକ୍ଷରୁ ପ୍ରସ୍ତୁତ ତଥ୍ୟରୁ ଏହା ଜଣାଯାଇଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୩ରୁ ୨୦୨୧ ମଧ୍ୟରେ ଭାରତର ମୋଟ ସୁନା ବିଶୋଧନ କ୍ଷମତାରେ ୧୫୦୦ ଟନ୍ ବୃଦ୍ଧି ଘଟି ୧୮୦୦ ଟନରେ ପହଞ୍ଚିଛି। ୨୦୧୩ରେ ଭାରତର ସୁନା ବିଶୋଧନ କ୍ଷମତା ୩୦୦ ଟନ୍ ଥିଲା। ୨୦୨୧ ମସିହା ବେଳକୁ ଏଥିରେ ୫୦୦ ପ୍ରତିଶତ ବୃଦ୍ଧି ଘଟିଛି। ଏଥିସହିତ ଗତ ୫ ବର୍ଷ ମଧ୍ୟରେ ଦେଶର ମୋଟ ସୁନା ଯୋଗାଣ ମଧ୍ୟରୁ ୧୧ ପ୍ରତିଶତ ପୁରୁଣା ସୁନାରୁ ଆସିଛି। ‌ଗୋଲ୍‌ଡ ରିଫାରଇନିଂ ଆଣ୍ଡ୍ ରିସାଇକ୍ଲିଂ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ସୁନା ଚାହିଦା ବୃଦ୍ଧି ପାଉଥିବାରୁ ପୁନଃଚକ୍ରଣର ପ୍ରମୁଖ ଭୂମିକା ରହିବ। ଏଥିସହିତ ବିଶୋଧନ ଶିଳ୍ପ ଯାହାକି ଦୀର୍ଘବର୍ଷ ପରେ ସ୍ଥିରତା ଆଡ଼କୁ ଗତି କରୁଥିଲା ତାହା ଆଗାମୀ ଦିନରେ ମଧ୍ୟ ଦ୍ରୁତ ବିକାଶକୁ ଦେଖିବ। ଗତ ଦଶନ୍ଧିରେ ଭାରତର ସୁନା ବିଶୋଧନ ପରିଦୃଶ୍ୟରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଆନୁଷ୍ଠାନିକ ବିଶୋଧନ କ୍ଷେତ୍ର ବ୍ୟାପକ ହେବା‌ରେ ଲାଗିଛି। ଏଥିଯୋଗୁ ଦେଶର ସଂଗଠିତ ସୁନା ବିଶୋଧନ କ୍ଷମତା ୨୦୧୩ ମସିହାରେ ୩୦୦ ଟନ୍ ଥିବାବେଳେ ୨୦୨୧ରେ ଏହା ୧୮୦୦ ଟନରେ ପହଞ୍ଚିଛି।

ଏହାବ୍ୟତୀତ ଅସଂଗଠିତ କ୍ଷେତ୍ରର ସୁନା ବିଶୋଧନ କ୍ଷମତା ପାଖାପାଖି ଆଉ ୩୦୦ରୁ ୫୦୦ ଟନ୍ ହେବ। ଅସଂଗଠିତ କ୍ଷେତ୍ରରେ ମଧ୍ୟ ସୁନା ବିଶୋଧନ ହ୍ରାସ ପାଇବାରେ ଲାଗିଛି ବୋଲି ରିପୋର୍ଟରେ କୁହାଯାଇଛି। ସରକାର ପ୍ରଦୂଷଣ ନିୟମକୁ କଡ଼ା‌କଡ଼ି କରିବା ଏହାର ଏକ କାରଣ। ଏଥିଯୋଗୁ ଅଧିକାଂଶ ସୁନା ତରଳା ଯାଉଥିବା ଦୋକାନ ବନ୍ଦ ହୋଇଯାଇଛି। ସଂଗଠିତ କ୍ଷେତ୍ରର ବିଶୋଧନ ୟୁନିଟ୍‌ ଜରିଆରେ ରିଟେଲ ଚେନ୍ ଷ୍ଟୋରଗୁଡ଼ିକ ପୁରୁଣା ସୁନାର ପୁନଃଚକ୍ରଣ କରୁଛନ୍ତି। ଯୁବବର୍ଗର ବ୍ୟକ୍ତିମାନେ ନୂଆ ନୂଆ ଡିଜାଇନର ଗହଣା ପିନ୍ଧିବାକୁ ପସନ୍ଦ କରୁଥିବାରୁ ସେମାନେ କମ୍ ସମୟ ବ୍ୟବଧାନରେ ଗହଣା ବଦଳାଉଛନ୍ତି।

ସମ୍ବନ୍ଧିତ ଖବର