ନୂଆଦିଲ୍ଲୀ: ୨୦୩୦ ମସିହା ସୁଦ୍ଧା ଦେଶର ବୟନଶିଳ୍ପ ସାମଗ୍ରୀର ବାର୍ଷିକ ରପ୍ତାନିକୁ ୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାର ଆଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଛନ୍ତି। ନୂଆଦିଲ୍ଲୀଠାରେ ଭାରତ ବୟନଶିଳ୍ପ ସମ୍ମିଳନୀ ୨୦୨୫ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆଜି ଏହା କହିଛନ୍ତି। ସଂପ୍ରତି ଭାରତ ବର୍ଷକୁ ୩ ଲକ୍ଷ କୋଟି ଟଙ୍କାର ପୋଷାକ ଓ ବୟନଶିଳ୍ପ ସାମଗ୍ରୀ ରପ୍ତାନି କରୁଛି। ଏହାକୁ ୩ ଗୁଣା କରି ୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ଆମର ଲକ୍ଷ୍ୟ। ଯେଉଁଭଳି ଭାବେ କାର୍ଯ୍ୟ ଚାଲିଛି ୨୦୩୦ ମସିହା ପୂର୍ବରୁ ମଧ୍ୟ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ଗତ ଦଶନ୍ଧିରେ ସରକାର ଗ୍ରହଣ କରିଥିବା ନୀତି ପାଇଁ ଏହା ସଫଳ ହେବ। ଗତ ଦଶନ୍ଧିରେ ଦେଶରେ ବୟନଶିଳ୍ପ କ୍ଷେତ୍ରରେ ବିଦେଶୀ ନିବେଶ ରାଶି ଦୁଇଗୁଣା ବୃଦ୍ଧି ପାଇଛି। ବୟନଶିଳ୍ପ ଦେଶର ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର। ଦେଶର ବିନିର୍ମାଣ କ୍ଷେତ୍ରରେ ଏହାର ଯୋଗଦାନ ୧୧ ପ୍ରତିଶତ। ୨୦୨୫-୨୬ ମସିହା ପାଇଁ କେନ୍ଦ୍ର ବଜେଟ୍ରେ ବୟନଶିଳ୍ପ କ୍ଷେତ୍ର ପାଇଁ ୫୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି।
ବଜେଟ୍ରେ ୧୯% ଅଧିକ ଅର୍ଥ ମିଳିଛି
ବୟନଶିଳ୍ପକୁ ଋଣ ପ୍ରଦାନ ଲାଗି ବ୍ୟାଙ୍କଗୁଡ଼ିକୁ ଆହ୍ବାନ
୨୦୨୪-୨୫ରେ ଦିଆଯାଇଥିବା ୪୪୧୭.୦୩ କୋଟି ତୁଳନାରେ ଏହା ୧୯ ପ୍ରତିଶତ ଅଧିକ। ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବଡ଼ ଧରଣର ଭାରତ ବୟନଶିଳ୍ପ ସମ୍ମିଳନୀ ହେଉଛି। ଏଥିରେ ୧୨୦ରୁ ଅଧିକ ଦେଶ ଅଂଶଗ୍ରହଣ କରିଛନ୍ତି। ବୟନଶିଳ୍ପ କ୍ଷେତ୍ରକୁ ଋଣ ପ୍ରଦାନ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ କରିଛନ୍ତି। ୭୫ କୋଟି ଟଙ୍କା ନିବେଶରେ ସ୍ଥାପନ କରାଯାଉଥିବା ଗୋଟିଏ ବୟନଶିଳ୍ପ ୟୁନିଟ୍ରେ ୨୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ। ଗତବର୍ଷ ଭାରତର ବୟନଶିଳ୍ପ ସାମଗ୍ରୀର ରପ୍ତାନି ଅଭିବୃଦ୍ଧି ୭ ପ୍ରତିଶତ ରହିଥିଲା। ପ୍ରଧାନମନ୍ତ୍ରୀ ଏହି ଅବସରରେ ବୟନଶିଳ୍ପ କ୍ଷେତ୍ର ପାଇଁ ତାଙ୍କର ‘୫ଏଫ୍’ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ସେଗୁଡ଼ିକ ମଧ୍ୟରେ ଫାର୍ମ ଟୁ ଫାଇବର, ଫାଇବର ଟୁ ଫ୍ୟାକ୍ଟ୍ରି, ଫ୍ୟାକ୍ଟ୍ରି ଟୁ ଫ୍ୟାସନ, ଫ୍ୟାସନ୍ ଟୁ ଫରେନ୍ ରହିଛି। ଏହି ଦୃଷ୍ଟିକୋଣ ଚାଷୀ, ବୁଣାକାର, ଡିଜାଇନର ଏବଂ ବ୍ୟବସାୟୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ନୂଆ ଯନ୍ତ୍ରାଂଶ ବିକାଶ ପାଇଁ ବୟନଶିଳ୍ପ କ୍ଷେତ୍ର ଆଇଆଇଟି ଭଳି ପ୍ରମୁଖ ସଂସ୍ଥା ସହିତ ସହବନ୍ଧିତ ହେବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ବାନ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ବଜେଟ୍ରେ ୫ ବର୍ଷ ପାଇଁ କଟନ ମିସନ ଘୋଷଣା କରାଯାଇଛି। ନ୍ୟାସନାଲ କଟନ ଟେକ୍ନୋଲୋଜି ମିସନ ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।