ଭୁବନେଶ୍ବର: ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ କରଜ ଉପରେ ଅଧିକ ନିର୍ଭରଶୀଳ ରହିଛନ୍ତି। ଜୀବନଯାପନ କରିବା ଲାଗି ସେମାନଙ୍କୁ ଧାର କରଜ କରିବାକୁ ପଡ଼ୁଛି। ରାଜ୍ୟରେ ଗ୍ରାମାଞ୍ଚଳରେ ଋଣଗ୍ରସ୍ତତା ହାର ୪୦.୫% ରହିଛି। ଏହା ସହରାଞ୍ଚଳର ଋଣଗ୍ରସ୍ତତା ହାର ୨୦.୯% ତୁଳନାରେ ପ୍ରାୟ ଦୁଇ ଗୁଣା ଅଧିକ। ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଂସ୍ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୧୩ ତୁଳନାରେ ୨୦୧୯ରେ କରଜ ସ୍ଥିତିରେ ବଡ଼ ଧରଣର ବୃଦ୍ଧି ହୋଇଛି। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଋଣ ବୃଦ୍ଧି ପାଇଛି। ୨୦୧୩ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଋଣଗ୍ରସ୍ତତା ହାର ଯଥାକ୍ରମେ ୨୫.୭୩% ଓ ୧୮.୭୦ ପ୍ରତିଶତ ଥିଲା। ଏହାର ପରବର୍ତ୍ତୀ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ କରଜ କରୁଥିବା ପରିବାର ସଂଖ୍ୟାରେ ବଡ଼ ଧରଣର ବୃଦ୍ଧି ହୋଇଥିବା ବେଳେ ସହରାଞ୍ଚଳରେ ସାମାନ୍ୟ ବୃଦ୍ଧି ଘଟିଛି।
ଇଣ୍ଡିଆ ରେଟିଂସ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରଗୁଡ଼ିକ କୃଷି, ଗୃହ ଏବଂ ପରିବାର ଚଳାଇବା ଲାଗି ବ୍ୟାଙ୍କ ଭଳି ସଂସ୍ଥା ଠାରୁ ଋଣ ନେଉଛନ୍ତି। ଘର ଓ ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ଅଣ ସଂଗଠିତ କ୍ଷେତ୍ରରୁ କରଜ କରୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ମେଡିକାଲ୍ ଖର୍ଚ୍ଚ ସମୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ଅଣ ସଂଗଠିତ କ୍ଷେତ୍ରରୁ କରଜ କରୁଛନ୍ତି। ଭାରତୀୟ ଅର୍ଥନୀତିରେ ହେଉଥିବା ନିବେଶର ୪୦% ପରିବାରଗୁଡ଼ିକ କରୁଛନ୍ତି। ସେମାନଙ୍କ ୭୨% ପୁଞ୍ଜିନିବେଶ ରିଅଲ ଇଷ୍ଟେଟ୍ ସମ୍ପତ୍ତିରେ କରାଯାଇଛି। ଗତବର୍ଷ ଦେଶରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅନେକ ପରିବାର କରଜ କରିବାକୁ ବାଧ୍ୟ ହୋଇଛନ୍ତି। ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ସଂସ୍ଥାଗତ ଋଣ ଅନୁପାତ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୩୭.୯%କୁ ବୃଦ୍ଧି ପାଇଛି। ୨୦୧୯-୨୦ର ଚତୁର୍ଥ ତ୍ରୟମାସରେ ଏହି ହାର ୩୩.୮% ଭଳି ସ୍ତରରେ ରହିଥିଲା। ଯେହେତୁ କୋଭିଡ୍ ମହାମାରୀର ବିପଦ ଏବେବି ରହିଛି ତେଣୁ ପରିବାରଗୁଡ଼ିକର ଆୟ କିମ୍ବା ସମ୍ପତ୍ତି ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ହେବାର ବହୁତ କମ୍ ସମ୍ଭାବନା ରହିଛି ବୋଲି ଇଣ୍ଡିଆ ରେଟିଂସ୍ ଜଣାଇଛି। ଆଗାମୀ କିଛି ମାସ ପର୍ଯ୍ୟନ୍ତ ପରିବାରଗୁଡ଼ିକ କେବଳ ‘ଆବଶ୍ୟକ’ ବ୍ୟୟ ଉପରେ ଗୁରୁତ୍ବ ଦେବେ। ତେଣୁ ଅର୍ଥନୀତିରେ ସୁଧାର ଆଣିବାକୁ ହେଲେ ସରକାରଙ୍କୁ ନୀତି ଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଏବଂ ବ୍ୟୟ ବଢ଼ାଇବାକୁ ହେବ। ଏହା ହେଲେ ଅର୍ଥନୀତିରେ ଆରମ୍ଭ ହୋଇଥିବା ସୁଧାର ପ୍ରକ୍ରିୟା ଜାରି ରହିବ।
ସର୍ବଭାରତୀୟ ସ୍ତରରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ପରିବାର ଋଣ ସର୍ବୋଚ୍ଚ ସ୍ତରରେ ରହିଛି। ଏହି ରାଜ୍ୟଗୁଡ଼ିକର ମୁଣ୍ଡପିଛା ଆୟ ଅଧିକ ଥିବା ବେଳେ ପରିବାର ଋଣ ଅଧିକ ରହୁଥିବାରୁ ଅର୍ଥନୀତିକୁ ଯେଉଁ ସୁଫଳ ମିଳିବା କଥା ତାହା ମିଳୁନାହିଁ। ଗ୍ରାମୀଣ ପରିବାର ଋଣ ହାର ତେଲେଙ୍ଗାନାରେ ସର୍ବାଧିକ ୬୭.୨% ଥିବା ବେଳେ ନାଗାଲ୍ୟାଣ୍ଡ୍ର ସର୍ବନିମ୍ନ ୬.୬% ରହିଛି। ସେହିପରି, ସହରାଞ୍ଚଳ ପରିବାର ହାର କେରଳରେ ସର୍ବାଧିକ ୪୭.୮ ପ୍ରତିଶତ ଥିବା ବେଳେ ମେଘାଳୟରେ ସର୍ବନିମ୍ନ ୫.୧% ରହିଛି।