ଭୁବନେଶ୍ବର: ଗୁରୁବାରଠାରୁ ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ହୋଇଥିବା ତିନିଦିନିଆ ଇଣ୍ଡିଆ ଷ୍ଟିଲ୍ ୨୦୨୫ ସମ୍ମିଳନୀରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାର ଏକ ପ୍ରତିନିଧି ଦଳ ମୁମ୍ବାଇ ଗସ୍ତ କରିଛନ୍ତି। ଆସନ୍ତାକାଲି ସମ୍ମିଳନୀରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ରାଉଣ୍ଡ୍ଟେବୁଲ୍: ଓଡ଼ିଶା-ଇସ୍ପାତ ଉତ୍ପାଦନ ଓ କଞ୍ଚାମାଲ ଯୋଗାଣର ସମ୍ପ୍ରସାରଣ’ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଧ୍ୟକ୍ଷତା କରିବେ। ସେଥିରେ ଟାଟା ଷ୍ଟିଲ୍, ଜେଏସ୍ପି, ଜେଏସ୍ଡବ୍ଲୁ, ସେଲ୍ ଓ ଏଏମ୍ଏନ୍ଏସ୍ ଭଳି କମ୍ପାନି ଅଂଶଗ୍ରହଣ କରିବେ। ରାଉଣ୍ଡଟେବୁଲ୍ରେ ରାଜ୍ୟର କଞ୍ଚାମାଲ ଦୃଢ଼ତା, ସୁଦୃଢ଼ ଭିତ୍ତିଭୂମି, ନିବେଶକ ଅନୁକୂଳ ନୀତି ଏବଂ ଆନୁଷଙ୍ଗିକ ଶିଳ୍ପ ସ୍ଥାପନ କରିବାର ସମ୍ଭାବନା ବିଷୟରେ ତଥ୍ୟ ଉପସ୍ଥାପନ କରାଯିବ।
ରାଜ୍ୟର ବରିଷ୍ଠ ଅଧିକାରୀମାନେ ସୂଚନା ପ୍ରଦାନ କରିବେ। ଶିଳ୍ପ ପ୍ରତିନିଧିମାନେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବେ। ରାଉଣ୍ଡ୍ଟେବୁଲ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଇସ୍ପାତ ଓ ଆନୁଷଙ୍ଗିକ କ୍ଷେତ୍ରର ବିଭିନ୍ନ ଶିଳ୍ପପତିମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ଭାରତୀୟ ରସାୟନ ପରିଷଦ ଓ ଭାରତୀୟ ଔଷଧ ନିର୍ମାତା ସଂଘର ପ୍ରତିନିଧିଙ୍କ ସହ ମଧ୍ୟ ସେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଏବେ ଦେଶର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ଭାବେ ଉଭା ହୋଇଛି। ଏହାକୁ ଦେଶର ଇସ୍ପାତ ରାଜଧାନୀ ମଧ୍ୟ କୁହାଯାଉଛି। ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ଇସ୍ପାତ କ୍ଷେତ୍ରକୁ ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାରୁ ଏହି ସମ୍ମିଳନୀରେ ଓଡ଼ିଶାର ଯୋଗଦାନ ଅନେକ ଗୁରୁତ୍ବ ରଖୁଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଇଣ୍ଡିଆ ଷ୍ଟିଲ୍ ୨୦୨୫ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ଜରିଆରେ ଆଜି ଉଦ୍ଘାଟନ କରି ସମ୍ବୋଧିତ କରିଛନ୍ତି।