ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ପେମେଣ୍ଟ୍ ସଂସ୍ଥାଗୁଡ଼ିକ ପାଇଁ ଭାରତର ନୂଆ ଡାଟା ଲୋକାଲାଇଜେସନ୍ ନିୟମ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଭାରତ ଚାହୁଛି ବିଦେଶୀ କଂପାନିଗୁଡ଼ିକ ଭାରତରେ ଗ୍ରାହକଙ୍କଠାରୁ ହାସଲ କରୁଥିବା ତଥ୍ୟକୁ ଦେଶ ଭିତରେ ସାଇତି (ଷ୍ଟୋର) ରଖନ୍ତୁ। ଏହି ନିୟମକୁ ନେଇ ଆମେରିକା ବେଶ ଚିନ୍ତିତ ହୋଇପଡ଼ିଛି। କାରଣ ଏହି ନିୟମ ଦ୍ବାରା ଆମେରିକୀୟ କଂପାନିଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବେ। ଡାଟା ନିୟମକୁ ନେଇ ନରମ ମନୋଭାବ ପୋଷଣ କରିବାକୁ ଆମେରିକାର ଦୁଇ ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଚାହୁଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିୟମକୁ କୋହଳ କରୁ। ଚଳିତ ବର୍ଷ ଅକ୍ଟୋବର ୧୫ ସୁଦ୍ଧା ଡାଟା ନିୟମକୁ ପାଳନ କରିବା ପାଇଁ ଆର୍ଥିକ ସଂସ୍ଥାଗୁୂଡ଼ିକୁ କୁହାଯାଇଛି। ଏହି ସମୟ ସୀମାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାରତୀୟ ଗ୍ରାହକଙ୍କ ସମ୍ପର୍କିତ ସବୁ ତଥ୍ୟକୁ ଦେଶ ଭିତରେ ସର୍ଭର ସ୍ଥାପନ ରଖି ରଖିବା ପାଇଁ ଆର୍ଥିକ ସଂସ୍ଥାଗୁଡ଼ିକୁ ଏପ୍ରିଲ୍ ମାସରେ ନିର୍ଦେଶ ଦିଆଯାଇଥିଲା। ଏହି ନିୟମ ପାଳନ କରିବା ପାଇଁ କଂପାନିଗୁଡ଼ିକୁ ୬ ମାସର ସମୟ ସୀମା ପ୍ରଦାନ କରାଯାଇଥିଲା। ଏହି ମହଲତ ଆଉ କିଛି ମାସ ବଢ଼ାଯାଉ ବୋଲି ଆର୍ଥିକ ସଂସ୍ଥାଗୁଡ଼ିକ ଦାବି କରୁଥିଲେ। ଡାଟା ଲୋକାଲାଇଜେସନ୍କୁ ଆମେରିକା ବିରୋଧ କରୁଛି। ଏହା ନିଷିଦ୍ଧ ହେବା ଦରକାର ବୋଲି ଆମେରିକା ଚାହୁଛି। କାରଣ ଯଦି ସବୁ ଦେଶ ନିଜ ନିଜର ତଥ୍ୟ ସୁରକ୍ଷା ନିୟମ ଲାଗୁ କରିବେ ତେବେ ଆମେରିକୀୟ କଂପାନିଗୁଡ଼ିକ ଆଉ ବିଶ୍ବ ସ୍ତରର ସବୁ ଡାଟା ଗୋଟିଏ ସ୍ଥାନରେ ପାଇବେ ନାହିଁ। ଏହା ସେମାନଙ୍କ ବ୍ୟବସାୟ ରଣନୀତିକୁ ପ୍ରଭାବିତ କରିବ। ଆମେରିକା ଚାହୁଛି ସାରା ବିଶ୍ବରେ ଡାଟା ମୁକ୍ତ ଭାବେ ଆଦାନପ୍ରଦାନ ହେଉ।
Sambad is now on WhatsApp
Join and get latest news updates delivered to you via WhatsApp
ଡାଟା ନିୟମକୁ ଭାରତୀୟ କଂପାନିଗୁଡ଼ିକ ସ୍ବାଗତ କରିଛନ୍ତି। କିନ୍ତୁ ବିଦେଶୀ କଂପାନିଗୁଡ଼ିକ ବିରୋଧ କରୁଛନ୍ତି। ଏହା ପଛର କାରଣ ହେଉଛି ପ୍ରତିଟି ବିଦେଶୀ କଂପାନିକୁ ଭାରତରେ ନିଜର ସର୍ଭର ସ୍ଥାପନ କରିବାକୁ ପଡ଼ିବ ଯାହା ଏକ ବ୍ୟୟବହୁଳ ବ୍ୟାପାର। ଏହି ନିୟମକୁ କିଛିଟା କୋହଳ କରିବା ପାଇଁ ବିଦେଶୀ କଂପାନିଗୁଡ଼ିକ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରିଥିଲେ। ସେମାନେ କହିଥିଲେ ଯେ ଆମେ ଅସଲି ତଥ୍ୟ ବଦଳରେ ମିରର୍ ତଥ୍ୟ ପ୍ରଦାନ କରିବୁ। କିନ୍ତୁ ରିଜର୍ଭ ବ୍ୟାଙ୍କ ସେଥିରେ ରାଜି ହୋଇନଥିଲା। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବି ପି କାନୁନ୍ଗୋଙ୍କୁ ଭେଟି ଡାଟା ଲୋକାଲାଇଜେସନ୍ ନିୟମ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅର୍ଥନୈତିକ ବ୍ୟାପାର ସଚିବ ଏସ୍ ସି ଗର୍ଗ, ଆଇଟି ସଚିବ ଅଜୟ ପ୍ରକାଶ ସହନି ଓ ଆର୍ଥିକ ସେବା ସଚିବ ରାଜୀବ କୁମାର ଉପସ୍ଥିତ ଥିଲେ।
ଡାଟା ନିୟମ କ’ଣ?
ଡାଟା ଲୋକାଲାଇଜେସନ୍ ଉପରେ ଭାରତ ସରକାର ନୂଆ ନିୟମ ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ ସବୁ କଂପାନି ଦେଶର ନାଗରିକମାନଙ୍କ ଠାରୁ ଗ୍ରହଣ କରୁଥିବା ତଥ୍ୟକୁ ଭାରତ ଭିତରେ ଷ୍ଟୋର୍ (ସଂରକ୍ଷିତ) କରିବେ। ଭାରତୀୟଙ୍କ କୌଣସି ତଥ୍ୟ ଦେଶ ବାହାରକୁ ନେଇପାରିବେ ନାହିଁ। ଏଥିପାଇଁ ବିଦେଶୀ କଂପାନିଗୁଡ଼ିକୁ ଭାରତରେ ନିଜର ସର୍ଭର ସ୍ଥାପନ କରିବାକୁ ପଡ଼ିବ।
କିଏ କରୁଛି ସମର୍ଥନ
ଅଷ୍ଟ୍ରେଲିଆ, ବ୍ରାଜିଲ୍, ଦକ୍ଷିଣ କୋରିଆ ଓ ରୁଷିଆ ଭଳି ଦେଶ
ଚୀନ୍ର ବ୍ୟବସାୟୀ ତଥା ଆଲିବାବା ମୁଖ୍ୟ ଜ୍ୟାକ୍ ମା’
ସବୁ ଭାରତୀୟ କଂପାନି
ନିୟମ ପ୍ରବର୍ତ୍ତନକାରୀ ଏଜେନ୍ସି
କାହାର ଆପତ୍ତି ଅଛି
ଗୁଗୁଲ୍, ଆମାଜନ୍, ହ୍ବାଟସ୍ଆପ୍, ମାଇକ୍ରୋସଫ୍ଟ, ଆପଲ୍, ମାଷ୍ଟରକାର୍ଡ, ଆମେରିକାନ୍ ଏକ୍ସପ୍ରେସ୍, ପେପଲ୍, ଫେସବୁକ୍, ଭିସା ଭଳି ଆମେରିକୀୟ କଂପାନି