ଆମେରିକା ଉପରେ ଟିକସ ଲଗାଇବ ଭାରତ

ନୂଆଦିଲ୍ଲୀ: ଆମେରିକାରୁ ଭାରତକୁ ଆମଦାନୀ ହେଉଥିବା ୩୦ଟି ସାମଗ୍ରୀର ଏକ ସଂଶୋଧିତ ଶୁଳ୍କ ଲାଗୁ ତାଲିକା ଭାରତ ପକ୍ଷରୁ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)କୁ ପ୍ରଦାନ କରାଯାଇଛି। ଏହି ସାମଗ୍ରୀ ଗୁଡ଼ିକ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। ଏହି ସାମଗ୍ରୀ ଗୁଡ଼ିକ ମଧ୍ୟରେ ଲୌହ ଓ ଇସ୍ପାତ ସାମଗ୍ରୀ, ବୋରିକ୍‌ ଏସିଡ଼୍‍ ଏବଂ ମସୁର ଡାଲି ଆଦି ରହିଛି। ଆମେରିକା ବିରୋଧରେ ଯେସାକୁ ତେସା ନୀତି ଆପଣାଇବାକୁ ଯାଇ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଆମେରିକା ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ ଶୁଳ୍କ ଲାଗୁ କରିଛି। ଆଲୁମିନିୟମ ଏବଂ ଇସ୍ପାତ ସାମଗ୍ରୀ ଉପରେ ଶୁଳ୍କ ଲାଗୁ ଦ୍ୱାରା ଆମେରିକା ସରକାର ୨୪୧ ନିୟୁତ ଡଲାରର ରାଜସ୍ୱ ଭାରତରୁ ସଂଗ୍ରହ କରିବେ। ତେଣୁ ଭାରତ ମଧ୍ୟ ସମାନ ପରିମାଣର ରାଜସ୍ୱ ଆଦାୟ ଲାଗି ଏପରି ପଦକ୍ଷେପ ନେଇଛି। ଆମେରିକାରୁ ଭାରତ ଆମଦାନୀ କରୁଥିବା ୩୦ଟି ସାମଗ୍ରୀ ଉପରେ ପ୍ରଦାନ କରୁଥିବା ଶୁଳ୍କ ରିହାତିକୁ ପ୍ରତ୍ୟାହାର କରିନେଇଛି। ପୂର୍ବରୁ ଗତ ମେ ମାସରେ ଆମେରିକାରୁ ଆମଦାନୀ ହେଉଥିବା ୨୦ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଭାରତ ନିଷ୍ପତ୍ତି ନେଇଥିଲା। ସେହି ସାମଗ୍ରୀ ଗୁଡ଼ିକ ମଧ୍ୟରେ ଆଲମଣ୍ଡ୍‌, ସେଓ, ୮୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ବାଇକ୍‌ ଆଦି ରହିଥିଲା। ଏସବୁ ସାମଗ୍ରୀ ଉପରେ ୧୦ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ବୃଦ୍ଧି ପ୍ରସ୍ତାବ ଦିଆଯାଇଥିଲା।

ଘନେଇଲା ଚୀନ୍‌-ଆମେରିକା ବାଣିଜ୍ୟ ଲଢ଼େଇ
ବେଜିଂ: ଚୀନ୍‌ ଏବଂ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଘନୀଭୂତ ହେବାରେ ଲାଗିଛି। ଆମେରିକା ବିରୋଧରେ ଚୀନ୍‌ ଯେସାକୁ ତେସା ନୀତି ଆପଣାଇଛି। ଆଜି ଆମେରିକା ବିରୋଧରେ ୫୦ ବିଲିଅନ ଡଲାରର ଆମେରିକୀୟ ଉତ୍ପାଦ ଉପରେ ଚୀନ୍‌ ଅତିରିକ୍ତ ଶୁଳ୍କ ଲାଗୁ କରିଛି। ଚୀନ୍‌ର ୫୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଉପରେ ଗତକାଲି ଆମେରିକା ୨୫ ପ୍ରତିଶତ ହାରରେ ଶୁଳ୍କ ଲଗାଇବା ପରେ ଚୀନ୍‌ ଆଜି ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି। ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚୀନ୍‌ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଥିଲେ। ଗତକାଲି ଟ୍ରମ୍ପ୍‌ ଚୀନ୍‌ ବିରୋଧରେ ବୌଦ୍ଧିକ ସମ୍ପତ୍ତି ଚୋରି ସମେତ ଅନୈତିକ ବାଣିଜ୍ୟ କାରବାର ନେଇ ଅଭିଯୋଗ ଆଣି ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲେ। ଚୀନ୍‌ ସରକାର ଆମେରିକାର ୬୫୯ଟି ସାମଗ୍ରୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚୀନ୍‌ ଦୁଇଟି ପର୍ଯ୍ୟାୟରେ ଏହି ଅତିରିକ୍ତ ଶୁଳ୍କକୁ ଲାଗୁ କରିବ। ପ୍ରଥମ ପର୍ଯ୍ୟାୟରେ ୫୪୫ଟି ସାମଗ୍ରୀ ଉପରେ ଚୀନ୍‌ ଅତିରିକ୍ତ ଶୁଳ୍କ ଲାଗୁ କରିବ। ଏହାର ମୂଲ୍ୟ ୩୪ ବିଲିଅନ ଡଲାର ରହିିଛି। ଏହି ସାମଗ୍ରୀ ଗୁଡ଼ିକ ମଧ୍ୟରେ କୃଷିସାମଗ୍ରୀ, ଗାଡ଼ି ଏବଂ ଅନ୍ୟାନ୍ୟ ଉତ୍ପାଦ ରହିଛି। ଆସନ୍ତା ଜୁଲାଇ ୬ ତାରିଖରୁ ଏହା କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର