ବଡ଼ ଅର୍ଥନୀତି: ଫ୍ରାନ୍ସକୁ ହଟାଇ ଭାରତ ଷଷ୍ଠ, ଚଳିତ ବର୍ଷ ବ୍ରିଟେନ୍‌କୁ ଟପିବ

ଭାରତ ଧନୀ, ଭାରତୀୟମାନେ ଗରିବ

ନୂଆଦିଲ୍ଲୀ: ବିଶ୍ୱର ଷଷ୍ଠ ବଡ଼ ଅର୍ଥନୈତିକ ମହାଶକ୍ତି ଭାବେ ଭାରତ ଉଭା ହୋଇଛି। ଫ୍ରାନ୍ସକୁ ହଟାଇ ଭାରତ ଏହି ମୁକୁଟ ହାସଲ କରିଛି। ବିଶ୍ୱବ୍ୟାଙ୍କ ଅନୁଯାୟୀ, ଗତବର୍ଷ ଶେଷ ସୁଦ୍ଧା ଭାରତୀୟ ଅର୍ଥନୀତିର ପରିମାଣ ୨.୫୯୭ ଟ୍ରିଲିଅନ୍‌ ଡଲାର ଥିଲା। ସେହି ସମୟରେ ଫ୍ରାନ୍ସ ଅର୍ଥନୀତିର ପରିମାଣ ଥିଲା ୨.୫୮୨ ଟ୍ରିଲିଅନ୍‌ ଡଲାର। ଦୁଇ ଦେଶର ଅର୍ଥନୀତି ୧୫୦୦ କୋଟି ଡଲାରର ଅନ୍ତର ରହିଛି। ଭାରତ ଧନୀ ହେଉଛି କିନ୍ତୁ ଭାରତୀୟମାନେ ଗରିବ ହୋଇ ରହିଛନ୍ତି। ଭାରତ ଓ ଫ୍ରାନ୍ସର ମୁଣ୍ଡପିଛା ଆୟ ବିଚାରକୁ ନେଲେ ଏହା ସ୍ପଷ୍ଟ ହୋଇଯାଉଛି। ଭାରତରେ ୧୩୪ କୋଟି ଲୋକ ବସବାସ କରୁଥିବା ବେଳେ ଫ୍ରାନ୍ସର ଜନସଂଖ୍ୟା ହେଉଛି ମାତ୍ର ୬.୭ କୋଟି। ଫ୍ରାନ୍ସର ମୁଣ୍ଡପିଛା ଆୟ ହେଉଛି ୨୯ ଲକ୍ଷ ୩୭ ହଜାର ୧୯୨ ଟଙ୍କା (୪୨,୫୬୮ ଡଲାର)। ଭାରତର ମୁଣ୍ଡପିଛା ଆୟ ୧ ଲକ୍ଷ ୩୫ ହଜାର ୫୧୬ ଟଙ୍କା (୧୯୬୪ ଡଲାର) ତୁଳନାରେ ତାହା ୨୦ ଗୁଣ ଅଧିକ। ଫ୍ରାନ୍ସ ନାଗରିକଙ୍କ ତୁଳନାରେ ଭାରତୀୟମାନେ ବହୁତ ଗରିବ। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ବିଶ୍ୱର ଏକ ନମ୍ବର ଅର୍ଥନୈତିକ ମହାଶକ୍ତି ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଏହା ପଛକୁ ରହିଛନ୍ତି ଚୀନ୍‌, ଜାପାନ, ଜର୍ମାନି ଓ ବ୍ରିଟେନ୍‌।

ଏକ ଦଶନ୍ଧୀ ଭିତରେ ଭାରତ ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ଦୁଇ ଗୁଣା ବଢ଼ାଇପାରିଛି। ବିମୁଦ୍ରାକରଣ ଘୋଷଣା ଓ ଜିଏସ୍‌ଟି ଲାଗୁ କରିବା ପରେ ଭାରତର ଅର୍ଥନୀତିର ଗତି କିଛିଟା ମନ୍ଥର ହୋଇଯାଇଥିଲା। ମାତ୍ର ମାନୁଫାକ୍‌ଚରିଂ ଓ ଉପଭୋକ୍ତା ଖର୍ଚ ବଢ଼ିବାରୁ ଏହା ପୁଣି ତ୍ୱରାନ୍ଵିତ ହୋଇଛି। ଭାରତର ଅଭିବୃଦ୍ଧି ହାର ୬.୬% ବୋଲି ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି। ଏହା ଫ୍ରାନ୍ସର ୧.୮% ଅଭିବୃଦ୍ଧି ହାରଠାରୁ ଢ଼େର ଅଧିକ। ଆଗାମୀ ଦିନରେ ଭାରତର ଦ୍ରୁତ ଅଭିବୃଦ୍ଧି ଧାରା ବଜାୟ ରହିବ। ଏହା ଏସିଆ ମହାଦେଶ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଆକଳନ ଅନୁଯାୟୀ, ୨୦୧୮ରେ ଭାରତର ଅଭିବୃଦ୍ଧି ୭.୪% ଓ ୨୦୧୯ରେ ୭.୮% ହେବ। କିନ୍ତୁ, ବ୍ରିଟେନ୍‌ର ଏକ କନ୍‌ସଲ୍‌ଟାନ୍ସି ସଂସ୍ଥା ‘ସେଣ୍ଟର ଫର୍‌ ଇକୋନୋମିକ୍‌ ଆଣ୍ଡ୍‌ ବିଜନେସ୍‌ ରିସର୍ଚ’ ପକ୍ଷରୁ ଆକଳନ କରାଯାଇଛି ଯେ, ଚଳିତ ବର୍ଷ ଭାରତ ବ୍ରିଟେନ୍‌କୁ ଟପିଯିବ। ୨୦୩୨ ସୁଦ୍ଧା ଏହା ବିଶ୍ୱର ତୃତୀୟ ବଡ଼ ଆର୍ଥିକ ମହାଶକ୍ତି ଭାବେ ଉଭା ହେବ। ଭାରତଠାରୁ ବ୍ରିଟେନ୍‌ର ଅର୍ଥନୀତି ମାତ୍ର ୨୫୦୦ କୋଟି ଡଲାର ଅଧିକ ରହିଛି। ଯେଉଁ ହାରରେ ଭାରତ ଆଗକୁ ବଢ଼ୁଛି ଏହି ସ୍ତରକୁ ପାର କରିବା ବହୁତ ସହଜ ମନେ ହେଉଛି। ଭାରତ ଏକମାତ୍ର ବିକାଶଶୀଳ ଦେଶ, ଯାହା ଦ୍ରୁତଗତିରେ ଆଗକୁ ବଢ଼ୁଛି।

ସମ୍ବନ୍ଧିତ ଖବର