ଭାରତ ପୁଣି  ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ  : ମୋଦୀ

ନୂଆଦିଲ୍ଲୀ : ଭାରତର ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ, କାରଣ ସଂକଟର ସମ୍ମୁଖୀନ ହେବା ପାଇଁ ଭାରତୀୟଙ୍କ ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ଅଧିବେଶନକୁ ସଂମ୍ବୋଧିତ କରି ସେ କହିଛନ୍ତି ଯେ ଭାରତରେ ଲକଡାଉନ ଶେଷ, ହେବାକୁ ଯାଉଛି ଓ ଅନଲକ-୧ ଆରମ୍ଭ ହୋଇଛି । ଜୁନ ୮ ପରେ ଆହୁରି ଅନେକ କିଛି ଖୋଲିଯିବ । ଭାରତ ପୁଣି ଥରେ ନିଜର ଅଭିବୃଦ୍ଧିକୁ ହାସଲ କରିନେବ ବୋଲି ତାଙ୍କର ବିଶ୍ବାସ ରହିଛି । କାରଣ ଭାରତୀୟ ଚାଷୀ, ଭାରତୀୟ ଶିଳ୍ପଜଗତ, ଏମଏସଏମଇ କ୍ଷେତ୍ରର ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ।

ସେ କହିଛନ୍ତି ଯେ କରୋନା ପରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଥିପାଇଁ ସରକାର କେତେକ ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ  ପଦକ୍ଷେପ ନେଇଛନ୍ତି । ସେହିପରି କୃଷି କ୍ଷେତ୍ରରେ ସଂସ୍କାର ଅଣାଯାଇ ଚାଷୀଙ୍କୁ ଅଧିକ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଇଛି ।

ସେ କହିଛନ୍ତି ଯେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ଶିଳ୍ପଜଗତର ଗୁରୁ ଭୂମିକା ରହିଛି । ଏଥିପାଇଁ  ଭାରତୀୟ ଶିଳ୍ପ ଜଗତ ସହ ସେ ଛିଡ଼ା ହୋଇଛନ୍ତି । ଶିଳ୍ପ ଜଗତ ଏକ ପାଦ ଚାଲିଲେ ସରକାର ଚାରିପାଦ ଚାଲିବେ ।

ଶିଳ୍ପପତିମାନଙ୍କୁ ସେ କହିଛନ୍ତି ଯେ ଭାରତ ନିଜର ସ୍ଥାନୀୟ ସପ୍ଲାଇଚେନ ଓ ଦେଶୀ ଶିଳ୍ପସଂସ୍ଥା ଗୁଡ଼ିକୁ ସୁଦୃଢ କରିବା ଆବଶ୍ୟକ । ଭାରତକୁ ଆତ୍ମନିର୍ଭର ହେବାକୁ ହେଲେ ଆମଦାନୀ ଉପରେ ନିର୍ଭରଶୀଳତା କମାଇ ସ୍ୱଦେଶୀ ବଜାର ଉପରେ ଗୁରୁତ୍ବ ଦେବାକୁ ହେବ ।

ସମ୍ବନ୍ଧିତ ଖବର