ଦେଶରେ ମାତ୍ର ୪-୫ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିବ !

ନୂଆଦିଲ୍ଲୀ : ଭାରତ ସରକାର କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରି କେବଳ ୫ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରଖିବାକୁ ବିଚାର କରୁଛନ୍ତି ।
ଜାତୀୟ ସ୍ତରର ଖବରକାଗଜ ଇକନୋମିକ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ସରକାର କେତୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଥିବା ସରକାରୀ ଅଂଶଧନକୁ ବିକ୍ରି କରି ସେଗୁଡ଼ିକର ଘରୋଇକରଣ କରିଦେବେ । ସେସବୁ ବ୍ୟାଙ୍କ ମଧ୍ୟରେ ରହିଛନ୍ତି ବ୍ୟାଙ୍କ ଅଫ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ,ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର, ପଞ୍ଜାବ ଓ ସିନ୍ଦ ବ୍ୟାଙ୍କ । ଏସବୁ ଘରୋଇକରଣ ପରେ ଦେଶରେ ମାତ୍ର ୪-୫ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିବ । ବର୍ତ୍ତମାନ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି ।

କେନ୍ଦ୍ର ସରକାର ଗତ ବର୍ଷ ଦେଶର ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୧୨ଟି ବ୍ୟାଙ୍କରେ ପରିଣତ କରିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ କରି ଏକ ବୃହତ ବ୍ୟାଙ୍କ ଗଠନ କରାଯାଇଥିଲା । ସେହିପରି କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କରାଯାଇଥିଲା । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇଥିଲା ଏବଂ ଆହ୍ଲାବାଦ ବ୍ୟାଙ୍କରେ ଇଣ୍ଡିଆନ ବ୍ୟାଙ୍କର ବିଲୟ ହୋଇଥିଲା । ଏହା ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଓ ଏହାର ବିଭିନ୍ନ ସହଯୋଗୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇସାରିଛି ।

ସମ୍ବନ୍ଧିତ ଖବର