୧୦୦ ନୂଆ ବିମାନବନ୍ଦର ନିର୍ମାଣ ହେବ, ଲକ୍ଷେ କୋଟି ଟଙ୍କା ନିବେଶ ହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶରେ ୧୦୦ଟି ନୂଆ ବିମାନବନ୍ଦର ନିର୍ମାଣ କରିବାକୁ ଯାଉଛନ୍ତି। ଏବାବଦରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ। ୨୦୨୪ ସୁଦ୍ଧା ଏହି ସବୁ ବିମାନବନ୍ଦର ନିର୍ମାଣ କରାଯିବ। ସେଥିପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି।

ଦେଶର ଭିତ୍ତିଭୂମି ଆବଶ୍ୟକତାକୁ ନେଇ ନିକଟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ୧୦୦ ନୂଆ ବିମାନବନ୍ଦର ଖୋଲିବା ଯୋଜନା ଉପରେ ଆଲୋଚନା ହୋଇଥିଲା। ଛୋଟ ସହର ଓ ଗ୍ରାମାଞ୍ଚଳକୁ ବିମାନ ‌ନେଟ୍‌ୱର୍କ ସହ ଯୋଡ଼ିବା ଲାଗି ୧୦୦୦ ନୂଆ ରୁଟ୍‌ ଆରମ୍ଭ କରିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। କେବଳ ସେତିକି ନୁହେଁ ବିମାନକୁ ଲିଜ୍‌ରେ ପ୍ରଦାନ କରିବା ବ୍ୟବସାୟ ମଧ୍ୟ ଆରମ୍ଭ କରିବାକୁ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ୨୦୨୫ ସୁଦ୍ଧା ଦେଶ ଭିତରେ ତାଲିମ ଦିଆଯାଉଥିବା ପାଇଲଟ୍‌ଙ୍କ ସଂଖ୍ୟାକୁ ୬୦୦ରେ ପହଞ୍ଚାଇବାକୁ ଭାରତ ଚାହୁଥିବା ବେଳେ ଦେଶ ଭିତରେ ଯାତାୟାତ କରୁଥିବା ବିମାନ ସଂଖ୍ୟାକୁ ୧୨୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ତିନି ବର୍ଷ ପୂର୍ବେ ଦେଶ‌ରେ ଥିବା ୪୫୦ ରନ୍‌‌ୱେ ମଧ୍ୟରୁ ମାତ୍ର ୭୫ଟି କାର୍ଯ୍ୟକ୍ଷମ ଥିଲା। ବିମାନ କଂପାନିଗୁଡ଼ିକ ଛୋଟ ସହରକୁ ବିମାନ ସେବା ଯୋଗାଇ ଦେବାକୁ କୁଣ୍ଠା ପ୍ରକାଶ କରୁଥିଲେ। ମାତ୍ର ମୋଦୀ ସରକାର ଉଡାନ୍ ଯୋଜନା ଆରମ୍ଭ କରିବା ପରେ ଦେଶର ବିମାନ ଚଳାଚଳ ମାନଚିତ୍ରରେ ୩୮ଟି ନୂଆ ବିମାନବନ୍ଦର ଯୋଡ଼ିହୋଇଥିଲା।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରକୁ ଖସିଆସିଥିବାରୁ ସରକାର ବେଶ ଚିନ୍ତିତ ଅଛନ୍ତି। ଏହାକୁ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ଆଉ କ’ଣ ପଦକ୍ଷେପ ଘୋଷଣା କଲେ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ ତାହା ଜାଣିବା ଲାଗି ନିୟମିତ ବ୍ୟବଧାନରେ ମାନସମନ୍ଥନ ବୈଠକ ଆୟୋଜନ କରାଯାଉଛି। ସେହି ଶୃଙ୍ଖଳାର ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା।

୨୦୩୫ ସୁଦ୍ଧା ଚୀନ୍ ୪୫୦ ବାଣିଜ୍ୟିକ ବିମାନବନ୍ଦର ସ୍ଥାପନ କରିବାକୁ ଯୋଜନା ରଖିଛି। ଚୀନ୍ ସହିତ ତାଳଦେଇ ଆଗକୁ ବଢ଼ିବା ପାଇଁ ଭାରତ ମଧ୍ୟ ଆଗୁଆ ଯୋଜନା ପ୍ରସ୍ତୁତ କରୁଛି। ଦେଶର ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାର (ଲକ୍ଷ କୋଟି ଡଲାର)ରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଉଦ୍ୟମ କରୁଛି। ସେହି ଲକ୍ଷ୍ୟ ହାସଲ କରିବାରେ ଭିତ୍ତିଭୂମି ବିକାଶ ବିଶେଷ ସହାୟକ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର