୧୦ ବର୍ଷରେ ଜାପାନକୁ ଟପିବ ଭାରତ
ବ୍ୟାଙ୍କ ଅଫ୍ ଆମେରିକା ମେରିଲ୍ ଲିଞ୍ଚ୍ ରିପୋର୍ଟ
ନୂଆଦିଲ୍ଲୀ : ଆସନ୍ତା ୧୦ ବର୍ଷ ଭିତରେ ଭାରତର ଜିଡିପି ପରିମାଣ ଜାପାନକୁ ଟପିଯିବ। ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ବଡ଼ ଅର୍ଥନୈତିକ ମହାଶକ୍ତିକୁ ଭାରତ ଗାଦିଚ୍ୟୁତ କରିବ ଏବଂ ଏହା ଉଦୀୟମାନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସବୁଠୁ ବଡ଼ ଅର୍ଥନୀତି ଭାବେ ଉଭା ହେବ। ଏଭଳି ଆକଳନ କରିଛି ବ୍ୟାଙ୍କ ଅଫ୍ ଆମେରିକା ମେରିଲ୍ ଲିଞ୍ଚ୍ ଗ୍ଲୋବାଲ୍ ରିସର୍ଚ।
ଏହି ସଂସ୍ଥା ଜଣାଇଛି ଯେ ଆଗାମୀ ୧୦ ବର୍ଷ ଭିତରେ ଭାରତର ଅଭିବୃଦ୍ଧି ହାର ସୁଦୃଢ଼ ସ୍ତରରେ ରହିବ। ଭାରତର ସପକ୍ଷରେ ଥିବା ତିନି ବଡ଼ ବିଷୟ ଉପରେ ଆଲୋଚନା କରି ଏହି ସଂସ୍ଥା ଜଣାଇଛି ଯେ ଭାରତରେ ସଞ୍ଚୟ ଏବଂ ପୁଞ୍ଜିନିବେଶ ହାର ବଢ଼ୁଛି। ଆର୍ଥିକ କ୍ଷେତ୍ରରେ ଉଦାରୀକରଣ ଆରମ୍ଭ ହୋଇଛି ଏବଂ ଏହା ଗଣ ବଜାର ଭାବେ ଉଭା ହେଉଛି। ଭାରତର ଅଭିବୃଦ୍ଧି ହାର ୭% ରହିବ ବୋଲି ଏଥିରେ ଆକଳନ କରାଯାଇଛି।
ଆର୍ଥିକ ଦୃଷ୍ଟିକୋଣରୁ ଭାରତରେ ନିର୍ଭରଶୀଳତା ଅନୁପାତ (ଡିପେଣ୍ଡେନ୍ସି ରେସିଓ) କମିବ। ବର୍ତ୍ତମାନ ଦେଶରେ ନିର୍ଭରଶୀଳତା ଅନୁପାତ ୫୨.୨% ରହିଛି। ଦଶ ବର୍ଷ ଭିତରେ ତାହା ୪୭%କୁ ଖସିଯିବ। ଏହାର ପ୍ରଭାବରେ ଦେଶର ଜିଡିପିରେ ସଞ୍ଚୟ ହାର ଅବଦାନ ୩୨% ଭଳି ଭଲ ସ୍ତରରେ ରହିବ। ସେହିପରି ପୁଞ୍ଜିନିବେଶ ହାର ୩୫%ରେ ପହଞ୍ଚିଯିବ ଯାହା ଏବେ ୩୨.୪% ସ୍ତରରେ ରହିଛି। ଏ ସବୁ କିଛି ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରିବା ଦିଗରେ ସହାୟକ ହେବ।
ଭାରତର ଆର୍ଥିକ କ୍ଷେତ୍ରରେ ଆଗାମୀ ଦିନରେ ଅନେକ ପରିବର୍ତ୍ତନ ହେବ। ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଉତ୍ତମ ଆର୍ଥିକ ଉତ୍ପାଦ ଆସିବା ଏବଂ ଆର୍ଥିକ ବଜାରରେ ହେବାକୁ ଥିବା ବିକାଶ ଦେଶର ଜିଡିପିକୁ ଋଣ ଅନୁପାତ ପରିମାଣ ବଢ଼ାଇବ। ଏବେ ଏହି ଅନୁପାତ ୪୪% ସ୍ତରରେ ରହିଛି। ଆଗାମୀ ୧୦ ବର୍ଷରେ ତାହା ୮୨% ଭଳି ଉଚ୍ଚ ସ୍ତରରେ ପହଞ୍ଚିଯିବ। ଏହାର ପ୍ରଭାବରେ ଋଣ ପାଇଁ ସୁଧ ହାର ହ୍ରାସ ପାଇବ ବୋଲି ବ୍ୟାଙ୍କ ଅଫ୍ ଇଣ୍ଡିଆ ମେରିଲ୍ ଲିଞ୍ଚ୍ ଏହାର ରିପୋର୍ଟରେ କହିଛି।
ଭାରତ ଆଗାମୀ ବର୍ଷଗୁଡ଼ିକରେ ଏକ ଗଣ ବଜାର ଭାବେ ଉଭା ହେବ। ଲୋକମାନଙ୍କ ଆୟ ବଢ଼ିବା ସହିତ ଅନେକ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ୨୦୨୮ ବେଳକୁ ଦେଶର ମୁଣ୍ଡପିଛା ଆୟ ଯାହା ଥିବ ତାହା ଏକ ନୂଆ କାର୍ର ମୂଲ୍ୟ ସହ ସମାନ ରହିବ। ଏବେ ଦେଶର ମୁଣ୍ଡପିଛା ଆୟ ଯାହା ରହିଛି ତାହାର ଅଢ଼େଇ ଗୁଣ ଟଙ୍କା ଦେଲେ ଏକ ନୂଆ କାର୍ କିଣିହେବ।