ଭାରତରେ ଆଇଫୋନ-୧୪ ଉତ୍ପାଦନ କରିବ ଆପଲ୍

ନୂଆଦିଲ୍ଲୀ : ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଆପଲ କମ୍ପାନି ନିଜର ପ୍ରସିଦ୍ଧ ସ୍ମାର୍ଟଫୋନ ଆଇଫୋନ ଲଞ୍ଚ୍ କରିଥାଏ । ଏବର୍ଷ ସେପ୍ଟେମ୍ବର ମାସରେ ଆପଲ ଆଇଫୋନ ୧୪ ଲଞ୍ଚ୍ ହେବାର ସମ୍ଭାବନା ରହିଛି । ଏଣୁ ଗ୍ରାହକମାନେ ଏହି ମାସକୁ ଚାହିଁଛନ୍ତି । କିନ୍ତୁ ଏବର୍ଷ ଆଉ ଏକ କାରଣରୁ ଆପଲ କମ୍ପାନି ଚର୍ଚ୍ଚାରେ ରହିଛି । ତାହା ହେଉଛି ଆଇଫୋନ-୧୪ ଭାରତରେ ଉତ୍ପାଦନ ହେବ । ଚୀନରେ ଉତ୍ପାଦିତ ଆଇଫୋନ ସେପ୍ଟେମ୍ବର ମାସରେ ବଜାରକୁ ଆସିବାକୁ ଥିବାବେଳେ ଭାରତରେ ଉତ୍ପାଦିତ ଆଇଫୋନ ଆସନ୍ତା ଦିପାବଳୀ ବେଳକୁ ବଜାରକୁ ଆସିବ । ଚୀନରେ ଲକଡାଉନ ଓ ଅନ୍ୟ ସମସ୍ୟା ଯୋଗୁଁ ଆଇଫୋନ-୧୪ ଉତ୍ପାଦନ ପ୍ରଭାବିତ ହୋଇଛି । ଏଥିପାଇଁ କମ୍ପାନି ଭାରତରେ ଥିବା ନିଜ ଉତ୍ପାଦନ କେନ୍ଦ୍ରରେ ଏହାକୁ ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଛି ।

ଭାରତରେ ଗତ କିଛି ବର୍ଷ ହେଲା ଆଇଫୋନ ଉତ୍ପାଦନ ହୋଇଆସୁଛି । ପୂର୍ବରୁ ଆଇଫୋନ୧୧, ଆଇଫୋନ୧୨ ଓ ଆଇଫୋନ ୧୩ ମଧ୍ୟ ଭାରତରେ ଉତ୍ପାଦନ ହୋଇସାରିଛି । ଆପଲ କମ୍ପାନି ପାଇଁ ଏସବୁ ସ୍ମାର୍ଟଫୋନଗୁଡ଼ିକୁ ଫକ୍ସକନ, ଓ୍ବିଷ୍ଟ୍ରନ ଓ ପେଗାଟ୍ରନ ଉତ୍ପାଦନ କରିଥାନ୍ତି ।

ତେବେ ଭାରତରେ ଆଇଫୋନ-୧୪ ଉତ୍ପାଦନ ହେବାର ଅର୍ଥ ନୁହେଁ ଯେ ଏହାର ମୂଲ୍ୟ କମିଯିବ । ଆଇଫୋନ-୧୪ର ମୂଲ୍ୟ ଆମେରିକାରେ ୭୯୯ ଡଲାର ରହିବା ଅନୁମାନ କରାଯାଉଛୁ । ଭାରତରେ ଏହାର ମୂଲ୍ୟ ୮୦ ହଜାର ଟଙ୍କା ଆଖପାଖରେ ରହିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର