ନୂଆଦିଲ୍ଲୀ: ଆସନ୍ତା ୩ ବର୍ଷ ମଧ୍ୟରେ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବ। ଜର୍ମାନୀ ଓ ଜାପାନକୁ ଟପିଯିବ। ଏଥିସହିତ ୨୦୪୭ ମସିହା ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ ବୋଲି ନିତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୁବ୍ରମଣ୍ୟମ୍‌ ଏହା ମଧ୍ୟ କହିଛନ୍ତି ଯେ ଭାରତ ବିଶ୍ବର ଶିକ୍ଷା କେନ୍ଦ୍ରରେ ପରିଣତ ହୋଇପାରିବ। ଅନ୍ୟାନ୍ୟ ପ୍ରସଙ୍ଗ ସହିତ ସବୁଠୁ ବଡ଼ ସୁବିଧା ହେଉଛି ଏହାର ଗଣତନ୍ତ୍ର। ସଂପ୍ରତି ଭାରତ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତି ଭାବେ ପରିଗଣିତ ହେଉଛି। ଆସନ୍ତାବର୍ଷ ଶେଷବେଳକୁ ଭାରତ ବିଶ୍ବର ଚତୁର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହେବ। ତାହାର ବର୍ଷକ ପରେ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବ ବୋଲି ସୁବ୍ରମଣ୍ୟମ୍‌ କହିଛନ୍ତି।

Advertisment

ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ତଥ୍ୟ ଅନୁଯାୟୀ, ଭାରତୀୟ ଅର୍ଥନୀତିର ଆକାର ବର୍ତ୍ତମାନ ୪.୩ ଟ୍ରିଲିଅନ  ଡଲାର ରହିଛି। ୨୦୪୭ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ୩୦ ଟ୍ରିଲିଅନ ଡଲାର ହେବ ବୋଲି ସୁବ୍ରମଣ୍ୟମ୍‌ କହିଛନ୍ତି। ନିମ୍ନ ଆୟବର୍ଗର ଦେଶ ତୁଳନାରେ ମଧ୍ୟମ ଆୟବର୍ଗର ଦେଶ ଭିନ୍ନ ସମସ୍ୟା ଦେଇ ଗତି କରନ୍ତି। ଗରିବଙ୍କୁ ଖାଦ୍ୟ କିମ୍ବା ବସ୍ତ୍ରହୀନଙ୍କୁ ବସ୍ତ୍ର ଯୋଗାଇବା ନୁହେଁ ବରଂ କିପରି ଜ୍ଞାନ ଅର୍ଥନୀତିରେ ପରିଣତ ହେବେ ତାହା ମଧ୍ୟମ ଆୟବର୍ଗର ଅର୍ଥନୀତି ଗୁଡ଼ିକର ସମସ୍ୟା ବୋଲି ସେ କହିଛନ୍ତି। ବିଶ୍ବ ଜନସଂଖ୍ୟା ସଂକୁଚିତ ହେବା ଭଳି ସମସ୍ୟା ବିଶ୍ବ କେବେ ସମ୍ମୁଖୀନ ହୋଇନାହିଁ। ତାଙ୍କ ମତରେ ଭାରତ ୧୫ ହଜାର ନର୍ସ ଏବଂ ଜର୍ମାନୀ ୨୦ ହଜାର ସ୍ବାସ୍ଥ୍ୟ କର୍ମୀ ଭାରତରୁ ନେଉଛନ୍ତି। କାରଣ ସେମାନଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ଲୋକ ନାହାନ୍ତି ଏବଂ ପାରିବାରିକ ବ୍ୟବସ୍ଥା ସେଠାରେ ଭାଙ୍ଗି ଯାଇଛି। ବିଶ୍ବକୁ କାର୍ଯ୍ୟ କରୁଥିବା ବୟସ ବର୍ଗର ଲୋକ ଯୋଗାଇବା ଭାରତ ଅବ୍ୟାହତ ରଖିପାରିବ। ଏହା ହେଉଛି ଭାରତର ସବୁଠୁ ବଡ଼ ଶକ୍ତି ବୋଲି ସୁବ୍ରମଣ୍ୟମ୍‌ କହିଛନ୍ତି।