ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ୨୦୨୪-୨୫ରେ ୬.୮ ପ୍ରତିଶତ ଓ ୨୦୨୫-୨୬ରେ ୭.୭ ପ୍ରତିଶତ ରହିଲେ ତାହା ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ବୋଲି ଶିଳ୍ପ ସଂଘ ପିଏଚ୍ଡିସିସିଆଇ ପୂର୍ବାନୁମାନ କରିଛି। ୨୦୨୬ରେ ଜାପାନକୁ ଭାରତ ଅତିକ୍ରମ କରିଯିବ ବୋଲି ସଂଘର ସଭାପତି ହେମନ୍ତ ଜୈନ କହିଛନ୍ତି। ବର୍ତ୍ତମାନ ଆମେରିକା ସବୁଠୁ ବଡ଼ ଆର୍ଥିକ ମହାଶକ୍ତି ହୋଇଥିବାବେଳେ ତା’ପଛକୁ ରହିଛନ୍ତି ଚୀନ୍, ଜର୍ମାନୀ ଓ ଜାପାନ।
୨୦୨୫-୨୬ ବଜେଟ୍ ପାଇଁ ପ୍ରସ୍ତାବ ଦେଇ ପିଏଚ୍ଡିସିସିଆଇ ପକ୍ଷରୁ କୁହାଯାଇଛି ଯେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ଉପରେ ୩୦ ପ୍ରତିଶତର ସର୍ବୋଚ୍ଚ ବ୍ୟକ୍ତିଗତ ଆୟକର ସ୍ଲାବ୍ ଲାଗୁ କରାଯାଉ ଏବଂ ଆୟକର ଛାଡ଼ ସୀମାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ। ଏହା ହେଲେ ଲୋକଙ୍କ ହାତରେ ପଇସା ରହିବ ଯାହାକୁ ସେମାନେ ଖର୍ଚ୍ଚ କଲେ ଦେଶର ଅର୍ଥନୀତି ଆହୁରି ଦ୍ରୁତ ବେଗରେ ଆଗକୁ ବଢ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାରରେ ୦.୨୫ ପ୍ରତିଶତ ହ୍ରାସ କରିବା ଦରକାର ବୋଲି ଏହା ଜଣାଇଛି।