ନୂଆଦିଲ୍ଲୀ: ରୁଷ୍ ତେଲ ଉପରେ ମିଳୁଥିବା ରିହାତି କମ୍ ହେବା ପରେ ଭାରତ ସେହି ତେଲ କିଣିବା କମାଇଛି। ଅଗଷ୍ଟରେ ରୁଷ୍ ତେଲ କିଣା ୨୪ ପ୍ରତିଶତ ହ୍ରାସ ପାଇଛି। ଲଗାତାର ତିନି ମାସ ଧରି ରୁଷ୍ରୁ ତେଲ କିଣା କମ୍ ହୋଇଛି। କେବଳ ରୁଷ୍ ନୁହେଁ ଇରାକ୍ରୁ ମଧ୍ୟ ତେଲ କିଣା କମ୍ ହୋଇଛି। ମୌସୁମୀ ବର୍ଷା ଯୋଗୁଁ ତେଲ ଚାହିଦା କମ୍ ହୋଇଥିବା ବେଳେ ବିଶୋଧନାଗାରଗୁଡ଼ିକରେ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଜାରି ରହିଥିବାରୁ ତେଲ କିଣା କମ୍ ହୋଇଛି ବୋଲି ମଧ୍ୟ କୁହାଯାଉଛି।
କେପ୍ଲର୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ରୁଷ୍ ଓ ଇରାକରୁ ତେଲ ଆମଦାନି କମ୍ ହୋଇଥିବା ବେଳେ ସାଉଦି ଆରବରୁ ଆମଦାନି ୬୩ ପ୍ରତିଶତ ବଢ଼ିଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍ ତେଲ ଉପରେ ମୋଟା ଅଙ୍କର ରିହାତି ଦେବାରୁ ଭାରତ ତାହା ବିପୁଳ ମାତ୍ରାରେ କିଣିଥିଲା। ଗତବର୍ଷ ମେ’ରେ ରୁଷ୍ରୁ ସର୍ବାଧିକ ତେଲ ମଗାଯାଇଥିଲା। ଚଳିତ ବର୍ଷ ଅଗଷ୍ଟରେ ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ସ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ତେଲ ଆମଦାନି କମ୍ କରିଛନ୍ତି। ଅଗଷ୍ଟରେ ତେଲ ଆମଦାନି ୭ ପ୍ରତିଶତ ହ୍ରାସ ପାଇ ଦୈନିକ ୪.୩୫ ନିୟୁତ ବ୍ୟାରେଲ ହୋଇଛି। ଆସନ୍ତା ଅକ୍ଟୋବରରୁ ପୁଣି ତେଲ କିଣା ବଢ଼ିବ ବୋଲି କେପ୍ଲର୍ ଆକଳନ କରିଛି।