ନୂଆଦିଲ୍ଲୀ: ଆମେରିକୀୟ ରେଟିଂ ଏଜେନ୍ସି ମୁଡିସ୍ ଦେଇଥିବା ଦୁର୍ବଳ ରେଟିଂ ନେଇ ଭାରତ ସରକାର ଅସନ୍ତୋଷ ଜାହିର କରିଛନ୍ତି। ବର୍ତ୍ତମାନର ରେଟିଂ ତୁଳନାରେ ଦେଶର ଅର୍ଥନୀତି ବହୁତ ଭଲ ସ୍ଥିତିରେ ରହିଛି। ସେଥିପାଇଁ ରେଟିଂରେ ଉନ୍ନତି ଆଣିବାକୁ ସରକାର ମୁଡିସ୍କୁ କହିଛନ୍ତି। ଯେଉଁ ମାନଦଣ୍ଡ ଆଧାରରେ ରେଟିଂ ନିର୍ଧାରଣ କରାଯାଉଛି ତାହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି। ସୋଭରେନ୍ ରେଟିଂର ବାର୍ଷିକ ସମୀକ୍ଷା ହେବାକୁ ଯାଉଥିବାରୁ ମୁଡିସ୍ର ପ୍ରତିନିଧିମାନେ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହି ବୈଠକରେ ସରକାର ଦୁର୍ବଳ ରେଟିଂ ପ୍ରସଙ୍ଗ ଉଠାଇଥିଲେ।
କ୍ରେଡିଟ୍ ରେଟିଂ ହେଉଛି ଏକ ମାନକ ଯାହାକୁ ଦେଖି ନିବେଶକମାନେ ପୁଞ୍ଜିନିବେଶ କରିବା ନିଷ୍ପତ୍ତି ନେଇଥାନ୍ତି। ଯେଉଁ ଦେଶର ସୋଭରେନ୍ ରେଟିଂ ଯେତେ ଭଲ ସେଠାରେ ନିବେଶ ସେତେ ସୁରକ୍ଷିତ ବୋଲି ବିଚାର କରାଯାଏ। ଚୀନ୍ରୁ ପଳାୟନ କରିବାକୁ ଚାହୁଥିବା କଂପାନିଗୁଡ଼ିକୁ ଆକୃଷ୍ଟ କରିବା ଲାଗି ଭାରତ ଜୋରଦାର ଉଦ୍ୟମ କରୁଥିବା ବେଳେ ରେଟିଂ ଏକ୍ଷେତ୍ରରେ ଏକ ସମସ୍ୟା ହୋଇରହିଛି। ସେଥିରେ ଆହୁରି ଉନ୍ନତି ହେଲେ ନିବେଶ ଆସିବା ସହଜ ହେବ ବୋଲି ସରକାର ଭାବୁଛନ୍ତି।
ତେବେ ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ନେଇ ମୁଡିସ୍ ପ୍ରତିନିଧିମାନେ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ସୋଭରେନ୍ ରେଟିଂରେ ଉନ୍ନତି ହେବାର ସମ୍ଭାବନା ରହିଛି ବୋଲି ସେମାନେ କହିଛନ୍ତି। ମୁଡିସ୍ ପକ୍ଷରୁ ଭାରତକୁ ‘ବିଏଏ୩’ ରେଟିଂ ଦିଆଯାଇଥିବା ବେଳେ ଭବିଷ୍ୟତ ଆକଳନ ସ୍ଥିର ବୋଲି କୁହାଯାଇଛି। ବିଏଏ୩ ହେଉଛି ସର୍ବନିମ୍ନ ନିବେଶ ମାନର ରେଟିଂ। ଭାରତ ସରକାର ସଂସ୍କାର ଜାରି ରଖିଥିବା ବେଳେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ପାଖରେ ୬୦,୦୦୦ କୋଟି ଡଲାରରୁ ଅଧିକ ବିଦେଶୀ ମୁଦ୍ରା ରହିଛି। ଏସବୁ ବିଷୟ ବିଚାରକୁ ନେଇ ରେଟିଂରେ ଉନ୍ନତି ଆଣିବା ଦରକାର ବୋଲି ସରକାର କହିଛନ୍ତି। କେବଳ ମୁଡିସ୍ ନୁହେଁ, ଅନ୍ୟ ବିଦେଶୀ ରେଟିଂ ଏଜେନ୍ସିଗୁଡ଼ିକ ଗ୍ରହଣ କରିଥିବା ମାନଦଣ୍ଡ ଉପରେ ସରକାର ନିୟମିତ ବ୍ୟବଧାନରେ ପ୍ରଶ୍ନ ଉଠାଉଛନ୍ତି। ଋଣ ପରିଶୋଧ କରିବାର କ୍ଷମତା ଓ ଆଗ୍ରହ ଥିବା ସତ୍ତ୍ବେ କାହିଁକି ଦୁର୍ବଳ ରେଟିଂ ଦିଆଯାଉଛି ବୋଲି ଭାରତ ପ୍ରଶ୍ନ କରୁଛି। ୨୦୨୦ ଜୁନ୍ରେ ଭାରତର ରେଟିଂକୁ ମୁଡିସ୍ ହ୍ରାସ କରିଥିଲା। ୨୦୨୧ରେ ସେଥିରେ ସାମାନ୍ୟ ସୁଧାର ଆଣିଥିଲା।