ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ ଚାଲିଥିବା ଆଲୋଚନାରେ ବଡ଼ ସଫଳତା ମିଳିଛି। ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟ ଚୂଡାନ୍ତ ହୋଇସାରିଛି ବୋଲି ଭାରତ ପକ୍ଷରୁ ମୁଲଚାଲର ନେତୃତ୍ୱ ନେଇଥିବା ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୁଇଟି ଉପାୟରେ ଆମେରିକା ସହ ଆଲୋଚନା ହେଉଛି। ଯେଉଁ ପ୍ରସଙ୍ଗଗୁଡ଼ିକ ପାଇଁ ଅଧିକ ସମୟ ଲାଗିବ ତାହାକୁ ଅଲଗା ରଖି ଆଲୋଚନା କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଶୁଳ୍କ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ଭର୍ଚୁଆଲ ମାଧ୍ୟମରେ ଉଭୟ ପକ୍ଷ ଆଲୋଚନା କରୁଛନ୍ତି।
ଆମେରିକା ଦୁଇଟି ପର୍ଯ୍ୟାୟରେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ପ୍ରଥମେ ଏହା ୨୫ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିଲା। ରୁଷରୁ ତେଲ କ୍ରୟ କରୁଥିବାରୁ ଜରିମାନା ଆକାରରେ ଆଉ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲା। ଏବେ ସେହି ଦୁଇ ପ୍ରକାର ଶୁଳ୍କ କମ କରିବା ଲାଗି ଭାରତ କଥାବାର୍ତ୍ତା କରୁଛି। ପାଲଟା ଶୁଳ୍କ କମାଇବା ଓ ଆମେରିକା ପାଇଁ ନିଜ ବଜାରକୁ ଅଧିକ ଖୋଲା କରିବା ନେଇ ହେଇଥିବା ଆଲୋଚନା ପ୍ରାୟ ଚୂଡାନ୍ତ ହୋଇଯାଇଛି।
ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନାକୁ ନେଇ ଆମେରିକାଠାରୁ ଭାରତ ଏକ ନିର୍ଭର ପ୍ରତିଶ୍ରୁତି ଆଶା କରୁଛି। ଶୀତ ଋତୁ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରାଜିନାମା ଚୂଡାନ୍ତ ହେବାର ସମ୍ଭାବନା ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆଉ ଆଲୋଚନାର କିଛି ଆବଶ୍ୟକତା ନାହିଁ। ଭାରତ ଉପରେ ଆମେରିକା ଗତ ଅଗଷ୍ଟ ୨୭ରୁ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ସେହି ଶୁଳ୍କ ଅଧିକାଂଶ ଭାରତୀୟ ସାମଗ୍ରୀକୁ ପ୍ରଭାବିତ କରିଛି। ତେଣୁ ଶୀଘ୍ର ରାଜିନାମା କରି ଆଶ୍ୱସ୍ତି ପାଇବାକୁ ଭାରତ ଉଦ୍ୟମ କରୁଛି। ଆମେରିକା ଲଗାଇଥିବା ଟିକସ ଭାରତର ୪୮୨୦ କୋଟି ଡଲାରର ରପ୍ତାନିକୁ ପ୍ରଭାବିତ କରିବା ଆଶଙ୍କା ରହିଛି।
୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ୫୦୦ ବିଲିଅନ ଡଲାର ପର୍ଯ୍ୟନ୍ତ ବଢ଼ାଇବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଅଭିଳାଷ ଘୋଷଣା କରିବା ପରେ ଗତ ଫେବ୍ରୁଆରିରୁ ଦୁଇ ଦେଶ ଭିତରେ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ଭାରତକୁ ଲଗାତାର ଭାବେ ଚାପରେ ରଖିବାକୁ ଆମେରିକା ଯେତେସବୁ ଉଦ୍ୟମ କରିଥିଲା ତାହା ବିଫଳ ହୋଇଥିଲା। ଭାରତକୁ ଏକ ଅଧିକ ଟିକସ ଲଗାଉଥିବା ଦେଶ ଭାବେ ଟ୍ରମ୍ପ ବାରମ୍ବାର ଅଭିଯୋଗ କରିଥିଲେ। କିନ୍ତୁ ସେଥିରେ ଭାରତ ବିଚଳିତ ହୋଇନଥିଲା। ଚାଷୀଙ୍କ ସ୍ବାର୍ଥ ସହ କୌଣସି ସାଲିସ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାକୁ ରୋକ୍ଠୋକ୍ ଶୁଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/18/trade-deal-2025-11-18-02-00-25.jpg)