ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ହେବାକୁ ଥିବା ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାରେ ଯଥେଷ୍ଟ ଅଗ୍ରଗତି ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରିର୍ ମଞ୍ଜୁରି ଦେଇଛନ୍ତି। ତେଣୁ ଏବେ କେବଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୋହରକୁ ଅପେକ୍ଷା କରାଯାଇଛି ବୋଲି ଏକ ସୂତ୍ରରୁ ଜଣାଯାଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ରାଜିନାମା ସଂପର୍କିତ କଥାବାର୍ତ୍ତା କେତେକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛି। ସେଗୁଡ଼ିକ ମଧ୍ୟରେ ଭାରତ ପକ୍ଷରୁ କୃଷି ଓ ଦୁଗ୍ଧ ଚାଷୀଙ୍କ ସ୍ବାର୍ଥ ସୁରକ୍ଷା ଉପରେ ଭାରତ ପକ୍ଷରୁ ଦିଆଯାଉଥିବା ଗୁରୁତ୍ବ ରହିଛି। ଅନ୍ୟପକ୍ଷରେ ଭାରତରେ ମଧ୍ୟ ଏ କ୍ଷେତ୍ରରେ ଅଧିକ ବଜାର ସୁବିଧା ଆମେରିକା ଦାବି କରୁଛି। ଏଭଳି ସ୍ଥିତିରେ ବାଣିଜ୍ୟ କଥାବାର୍ତ୍ତାରେ ଯଦି ଅଗ୍ରଗତି ହୋଇଥାଏ ତାହେଲେ ଦୁଇ ଦେଶ ଅର୍ଥନୈତିକ ଦୃଷ୍ଟିରୁ ଉପକୃତ ହେବେ। ଆଗାମୀ ଦିନରେ ହେବାକୁ ଥିବା ବାଣିଜ୍ୟ ଆଲୋଚନାରେ ଏହି ଚୁକ୍ତି ମୁଖ୍ୟ ଆଧାରଶିଳା ହେବ।
ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଦାୟିତ୍ବ ନେବା ପରେ ବିଭିନ୍ନ ଦେଶ ଉପରେ ପାଲଟା ଆମଦାନୀ ଶୁଳ୍କ ଲାଗୁ ଘୋଷଣା କରିଥିଲେ। ଭାରତ ଉପରେ ଏହି କ୍ରମରେ ଅତିରିକ୍ତ ୨୬ ପ୍ରତିଶତ ଶୁଳ୍କ ଲଗାଇଥିଲେ। କିନ୍ତୁ ବିଭିନ୍ନ ଦେଶ ପାଇଁ ଏପ୍ରିଲ ୨ ତାରିଖରେ ସେ ୯୦ ଦିନର ମହଲତ ଦେଇଥିଲେ। ଏହି ସମୟ ମଧ୍ୟରେ ଆଲୋଚନା କରିବା ସହିତ ରାଜିନାମା କରିବା ପାଇଁ ପରାମର୍ଶ ଦେଇଥିଲେ। ସେହି ୯୦ ଦିନର ମହଲତ ଚଳିତମାସ ୯ ତାରିଖରେ ଶେଷ ହେବ। ଯଦି ଏହି ତାରିଖ ସୁଦ୍ଧା ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନହୁଏ ତା’ହେଲେ ଭାରତ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲାଗୁ କରିବ। ଏହାଦ୍ବାରା ଭାରତର ରପ୍ତାନିକାରୀମାନେ ଆମେରିକାରେ ସେମାନଙ୍କ ସାମଗ୍ରୀ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେବେ। ଆମେରିକା ସହିତ ଭାରତର ଦ୍ବିପାକ୍ଷିକ ବାଣିଜ୍ୟ ପ୍ରଭାବିତ ହେବ।