ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ବିଭିନ୍ନ ଦେଶ ଉପରେ ଚଢ଼ା ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ସେ ଚୀନ୍, ମେକ୍ସିକୋ ଓ କାନାଡା ଉପରେ ଶୁଳ୍କ ବଢ଼ାଇଛନ୍ତି। ମେକ୍ସିକୋ ଓ କାନାଡା ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଥିବା ବେଳେ କାନାଡା ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଛି। ଏହି ନିଷ୍ପତ୍ତି ଫେବ୍ରୁଆରି ୧ରୁ ଲାଗୁ କରାଯାଇଛି। ଶୁଳ୍କକୁ ନେଇ ଅନେକ ଥର ସମାଲୋଚନା କରିଥିବା ଟ୍ରମ୍ପଙ୍କ ଏହି ପ୍ରହାରରୁ ଭାରତ ବର୍ତ୍ତିଯାଇଛି। ତେବେ ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେହି ସମୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ନେଇ ମୁଲଚାଲ ହୋଇପାରେ ବୋଲି କୁହାଯାଉଛି। ଯେଉଁ ଦେଶଗୁଡ଼ିକ ସହ ଆମେରିକାର ବାଣିଜ୍ୟ ନିଅଣ୍ଟ ରହିଛି, ସେମାନଙ୍କ ଉପରେ ଉଚ୍ଚା ଶୁଳ୍କ ଲାଗୁ ହୋଇଛି। ଅର୍ଥାତ ଏହି ସବୁ ଦେଶ ଆମେରିକାକୁ ଅଧିକ ଜିନିଷ ପଠାଉଥିବା ବେଳେ ସେଠାରୁ କମ୍ ଜିନିଷ କିଣୁଛନ୍ତି। ଚୀନ୍ ସହ ଆମେରିକାର ବାଣିଜ୍ୟ ନିଅଣ୍ଟ ୩୦.୨ ପ୍ରତିଶତ, ମେକ୍ସିକୋ ସହ ୧୯ ପ୍ରତିଶତ ଓ କାନାଡା ସହ ୧୪ ପ୍ରତିଶତ ରହିଛି। ଏଥିପ୍ରତି ଭାରତ ଅବଦାନ ମାତ୍ର ୩.୨ ପ୍ରତିଶତ ଥିବାରୁ ଏହା ପ୍ରତି ବର୍ତ୍ତମାନ କୌଣସି ବିପଦ ନାହିଁ।
ଅନ୍ୟ ପକ୍ଷରେ ଆମେରିକା ଉପରେ କାନାଡ଼ା ମଧ୍ୟ ଶୁଳ୍କ ବଢ଼ାଇଛି। ଆମେରିକାରୁ ଆମଦାନୀ ହେଉଥିବା ବିଅର ଓ ୱାଇନ ଠାରୁ ଆରମ୍ଭ କରି, ଫଳ ଜୁସ୍, ପନିପରିବା, ପର୍ଫ୍ୟୁମ, ପୋଷାକ, ଜୋତା, ଗୃହୋପକରଣ ଏବଂ କ୍ରୀଡ଼ା ସାମଗ୍ରୀ ଉପରେ କାନାଡା ୨୫ ପ୍ରତିଶତ ଶୁଳ୍କ ଲଗାଇଛି। କାନାଡ଼ାବାସୀଙ୍କ ପାଇଁ ଛିଡ଼ା ହେବା କ୍ଷେତ୍ରରେ ସେ ପଛକୁ ହଟିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି।
ହାର୍ଲି ଭଳି ବାଇକ୍ ଶସ୍ତା ହେବ, ଆମଦାନି ଶୁଳ୍କ ହ୍ରାସ
/sambad/media/media_files/2025/02/03/4aKodg7xmJ0yV3X60Cxl.jpg)
ନୂଆଦିଲ୍ଲୀ: ହାର୍ଲି ଡେଭିଡ୍ସନ୍ ଭଳି ବିଦେଶରୁ ଆମଦାନି ହେଉଥିବା ଦାମୀ ବାଇକ୍ ଦେଶରେ ଖୁବ୍ଶୀଘ୍ର କମ୍ ଦାମ୍ରେ ମିଳିବ। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ୧୬୦୦ ସିସିରୁ ଅଧିକ କ୍ଷମତାର ବାଇକ୍ ଉପରୁ ଆମଦାନି ଶୁଳ୍କ ହ୍ରାସ କରିଛନ୍ତି। ଫଳରେ ସେହି ବାଇକ୍ଗୁଡ଼ିକ ପୂର୍ବାପେକ୍ଷା କମ୍ ଦାମ୍ରେ ଉପଲବ୍ଧ ହୋଇପାରିବ। ଆମେରିକାରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଶାସନ ଆରମ୍ଭ ହୋଇଯାଇଥିବାରୁ ଆଗୁଆ ପଦକ୍ଷେପ ସ୍ବରୂପ ଭାରତ ହାର୍ଲି ଡେଭିଡ୍ସନ୍ ଭଳି କମ୍ପାନି ଯେଭଳି ଲାଭବାନ ହେବେ ସେଥିପାଇଁ ଆମଦାନି ଶୁଳ୍କ କମ୍ କରିଥିବା ଚର୍ଚ୍ଚା ହେଉଛି। କମ୍ପ୍ଲିଟ୍ ବିଲ୍ଟ ଇନ୍ (ସିବିୟୁ) ଭାବେ ଆମଦାନି କରାଯାଉଥିବା ୧୬୦୦ ସିସିରୁ ଅଧିକ ଶକ୍ତିଶାଳୀ ବାଇକ୍ ଉପରୁ ଆମଦାନି ଶୁଳ୍କକୁ ୫୦ ପ୍ରତିଶତରୁ ୪୦ ପ୍ରତିଶତକୁ ହ୍ରାସ କରାଯାଇଛି।
ଏହି ଧରଣର ବାଇକ୍ ହାର୍ଲି ଡେଭିଡ୍ସନ୍ ଅଧିକ ତିଆରି କରିଥାଏ। ତେଣୁ ତାହାକୁ ଦୃଷ୍ଟିରେ ରଖି ଏହି ଘୋଷଣା ହୋଇଥିବା ଆଲୋଚନା ହେଉଛି। କେନ୍ଦ୍ର ସରକାର ସେମି ନକ୍ଡ ଡାଉନ୍ (ଏସ୍କେଡି) ବାଇକ୍ ଉପରୁ ଆମଦାନି ଶୁଳ୍କକୁ ମଧ୍ୟ ୨୫ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ କରିଛନ୍ତି। କମ୍ପ୍ଲିଟ୍ ନକ୍ଡ ଡାଉନ୍ ମୋଟରସାଇକଲ୍ର ଆମଦାନି ଶୁଳ୍କ ୧୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି। ଯେଉଁ ଦେଶଗୁଡ଼ିକ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଟିକସ ଲଗାଇଛନ୍ତି, ସେମାନଙ୍କ ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଅଧିକ ଟିକସ କଷୁଛନ୍ତି। ତାଙ୍କ ରୋଷରୁ ବର୍ତ୍ତିବା ଲାଗି ସରକାର ଆଗୁଆ ଟିକସ କମ୍ କରିଥାଇପାରନ୍ତି। ଗତବର୍ଷ ଡିସେମ୍ବରରେ ସେ କହିଥିଲେ ଯେ ଭାରତ ଅତ୍ୟଧିକ ଟିକସ ଲଗାଉଛନ୍ତି। ଯଦି ସେମାନେ ଆମଠୁ ଟିକସ ଅସୁଲ କରିବେ, ତେବେ ଆମେ ବି ସେମାନଙ୍କ ଉତ୍ପାଦ ଉପରେ ଚଢ଼ା ଟିକସ ଲଗାଇବୁ। ଗତ ବର୍ଷ ଆମେରିକା ଥିଲା ଭାରତର ସର୍ବବୃହତ ବ୍ୟବସାୟ ସହଯୋଗୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)