ନୂତନ ଶକ୍ତି ବଳରେ ଆସନ୍ତା ୨୦ ବର୍ଷରେ ଭାରତ ହେବ ମହାଶକ୍ତି: ମୁକେଶ ଅମ୍ବାନି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ । ଫେବ୍ରୁଆରି ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା “ଏସିଆନ୍ ଇକୋନମିକ୍ ଡାଇଲଗ୍ ୨୦୨୨’ କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି । ପୁଣେ ଇଣ୍ଟରନ୍ୟାସନାଲ୍ ସେଣ୍ଟରର ସଭାପତି ରଘୁନାଥ ମାଶେଲକରଙ୍କ ସହିତ ଆଲୋଚନା କରିବା ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ ଆଗାମୀ ଦୁଇ ଦଶନ୍ଧିରେ ୨୦ ରୁ ୩୦ ଟି ଭାରତୀୟ ଶକ୍ତି କମ୍ପାନି ରିଲାଏନ୍ସ ଭଳି ବଡ ହେବାର ସାମର୍ଥ୍ୟ ରଖିଛନ୍ତି ।

ଦୁନିଆକୁ ପୁନର୍ବାର ନିର୍ଦ୍ଧାରଣ କରିବାର ଶକ୍ତି ନୂତନ ଉର୍ଜ୍ଜା ବା ସବୁଜ ଶକ୍ତି ପାଖରେ ରହିଛି । ଯେତେବେଳେ କାଠକୁ କୋଇଲାରେ ରୂପାନ୍ତରିତ କରାଗଲା ସେତେବେଳେ ୟୁରୋପ ଉଭୟ ଭାରତ ଓ ଚୀନ୍‌କୁ ପଛରେ ଛାଡ଼ିଦେଇଥିଲା । ସେହିଭଳି ତୈଳ ଜରିଆରେ ଆମେରିକା ଓ ପଶ୍ଚିମ ଏସିଆର ଦେଶଗୁଡ଼ିକ ବହୁତ ଆଗକୁ ବଢ଼ିଯାଇଥିଲେ । ଏବେ ଭାରତର ସମୟ ଆସିଛି ଯେଉଁଠାରେ ଭାରତ ସବୁଜ ଓ ସ୍ୱଚ୍ଛ ଶକ୍ତିରେ ଆତ୍ମନିର୍ଭର ହେବ ଏବଂ ତାହାର ରପ୍ତାନି କରିବ । ଏହା ପରେ ଭାରତକୁ ଏକ ବିଶ୍ୱଶକ୍ତି ହେବାରୁ କେହି ରୋକି ପାରିବେ ନାହିଁ । ସବୁଜଶକ୍ତି ଜରିଆରେ ଭାରତ କେବଳ ବିଶ୍ୱସ୍ତରୀୟ ଶକ୍ତିରେ ରୂପାନ୍ତରିତ ହେବ ତାହା ନୁଡେଁ ବରଂ ରୋଜଗାର ମଧ୍ୟ ସୃଷ୍ଟି କରିବ ଏବଂ ବୈଦେଶିକ ମୁଦ୍ରାର ମଧ୍ୟ ସଂଚୟ ହେବ, ବୋଲି ମୁକେଶ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ମାନନୀୟ ପ୍ରଧାନମନ୍ତ୍ରୀ ନୂତନ ଓ ସ୍ୱଚ୍ଛ ଶକ୍ତିର ଜଣେ ବହୁତ ବଡ଼ ସମର୍ଥକ । ଭାରତ ସବୁଜ ଶକ୍ତି ରପ୍ତାନି କରିବ, ସେଥିରେ ମୋର କୌଣସି ସନ୍ଦେହ ନାହିଁ କାରଣ ସରକାର ନୂତନ ଶକ୍ତି ଲାଗି ଦ୍ୱାର ଖୋଲି ଦେଇଛନ୍ତି । ଏଭଳି ନୀତି ଅଣାଯାଇଛି ଯାହା ଏହା ପାଇଁ ବିଶେଷ ସହାୟକ ହେବ । ଯେଭଳି ଭାରତ ଆଇଟି କ୍ଷେତ୍ରର ମହାଶକ୍ତି ହୋଇଛଇ ସେହିଭଳି ଭାରତ ଅକ୍ଷୟ ଶକ୍ତିରେ ମଧ୍ୟ ବିଶ୍ୱର ନେତୃତ୍ୱ ନେବ, ବୋଲି ସେ କହିଛନ୍ତି । ଆସନ୍ତା ୨୦ ବର୍ଷରେ ଭାରତରୁ ସ୍ୱଚ୍ଛ ଓ ସବୁଜ ଶକ୍ତି ରପ୍ତାନି ଅର୍ଦ୍ଧ ଟ୍ରିଲିଅନ ଡଲାରରେ ପହଂଚିବାର ସମ୍ଭାବନା ରହିଥିବା ବେଳେ ଭାରତ ଅକ୍ଷୟ ଶକ୍ତିକ୍ଷେତ୍ରରେ ନିବେଶ ଲାଗି ଦୁନିଆର ସବୁଠୁ ପସନ୍ଦର ଦେଶ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି ।

ସମ୍ବନ୍ଧିତ ଖବର