ଚୀନକୁ ମାତ୍ ଦେବ ଭାରତ, ଛଅ କ୍ଷେତ୍ରରେ ହେବ ବଡ଼ ପରିବର୍ତ୍ତନ
ବାଲେଶ୍ବର: ଗଲୱାନ ସଂଘର୍ଷ ପରେ ଭାରତ ସରକାର ଉତ୍ପାଦନ କ୍ଷେତ୍ରରେ ଚୀନର ମୁକାବିଲା କରିବା ପାଇଁ ଛଅଟି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି। ସେଗୁଡ଼ିକ ହେଉଛି ଏଫ୍ଡିଆଇ, ଇଜ୍ ଅଫ୍ ଡୁଇଂ ବିଜ୍ନେସ୍, ଲଜିଷ୍ଟିକ୍ସ, ଜମି, କ୍ଲଷ୍ଟର ଓ ସେଜ୍(ଏସ୍ଇଜେଡ୍) ଓ ବିଜୁଳି।ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଶିଳ୍ପ ଓ ଅନ୍ତଃବାଣିଜ୍ୟ ବିକାଶ ବିଭାଗ (ଡିପାର୍ଟମେଣ୍ଟ ଫର୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ୍-ଡିପିଆଇଆଇଟି) ଏହି ଛଅଟି କ୍ଷେତ୍ରରେ ସୁଧାର ଆଣିବାକୁ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। କାର୍ଯ୍ୟାନ୍ବୟନ ପାଇଁ କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସବୁଜ ସଙ୍କେତକୁ ଅପେକ୍ଷା। ବିଶେଷ ସୂତ୍ର ଅନୁସାରେ, ଭାରତ କେବଳ ଚୀନକୁ ଘେରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରୁଛି ତାହା ନୁହେଁ, ଆଗାମୀ ଦିନରେ ଏହି କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ଶକ୍ତି ହେବାକୁ ଲକ୍ଷ୍ୟ ରଖିଛି। ଏହି ପରିକଳ୍ପନାର ଲକ୍ଷ୍ୟ କେବଳ ଉତ୍ପାଦନ ବୃଦ୍ଧି ନୁହେଁ, ପରନ୍ତୁ ଭାରତକୁ ବିଶ୍ବ ଯୋଗାଣ ଶୃଙ୍ଖଳର ଏକ ପ୍ରମୁଖ ଭାଗୀଦାର ବନାଇବାକୁ ଉଦ୍ଦେଶ୍ୟ ରହିଛି। ଗତ ଦୁଇବର୍ଷରେ ଭାରତର ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ)ରେ ଉତ୍ପାଦନ ବା ମାନୁଫାକ୍ଚରିଂର ଅଂଶ କମିଛି। ୨୦୧୭-୧୮ରେ ଏହା ୧୬.୪ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ୧୫.୧ ପ୍ରତିଶତ ଅଛି। ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଜିଭିଏରେ ଏହାର ଭାଗ ୧ ଟ୍ରିଲିୟନ୍ ଡଲାର ପର୍ଯ୍ୟନ୍ତ ନେବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ବର୍ତ୍ତମାନ ମାତ୍ର ୩୭ ବିଲିୟନ୍ ଡଲାର ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଫ୍ଡିଆଇ: ଚଳିତ ବର୍ଷର ବଜେଟ୍ ବ୍ୟବସ୍ଥା ଅନୁସାରେ ସରକାର ଆଇସିସି (ଇନ୍ଭେଷ୍ଟମେଣ୍ଟ କ୍ଲିୟରାନ୍ସ ସେଲ୍) ପ୍ରତିଷ୍ଠା କରିବେ। ପ୍ରଚଳିତ ଏଫ୍ଡିଆଇ ନିୟମର ସମୀକ୍ଷା କରାଯାଉଛି। ଖୁବଶୀଘ୍ର ୨୦୨୦ ଏଫ୍ଡିଆଇ ପଲିସି ଜାରି ହେବ। ନିବେଶ ଆଧାରରେ ରାଜ୍ୟଗୁଡ଼ିକର ରୢାଙ୍କିଂ ହେବ।
ଇଜ୍ ଅଫ୍ ଡୁଇଂ ବିଜ୍ନେସ୍: ସରକାର ଯଥାଶୀଘ୍ର ଫିଜିକାଲ୍ ପ୍ରସେସ୍ ବନ୍ଦ କରି ଡିଜିଟାଲ୍ ପ୍ରସେସ୍ ଆରମ୍ଭ କରିବେ। ବିଭିନ୍ନ ସରକାରୀ ସଂସ୍ଥାଙ୍କ ସହ ସମ୍ପର୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହେବ। ନିୟମକୁ ସରଳ ଓ ଏକକ କରାଯିବ। ଜାତୀୟ କ୍ରୟ ଆଇନ ତିଆରି ହେବ। ଏହି ଆଇନ ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ପେମେଣ୍ଟ କରିବା ବାଧ୍ୟତାମୂଳକ ହେବ। ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ। କେନ୍ଦ୍ର ଓ ରାଜ୍ୟସ୍ତରରେ ଶ୍ରମ ଆଇନରେ ସଂଶୋଧନ ହେବ।
ଲଜିଷ୍ଟିକ୍ସ: ସଡ଼କ ଓ ରେଳ ନେଟ୍ୱାର୍କର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହେବ। ସବୁ ଶିଳ୍ପପୁଞ୍ଜ ଓ ବନ୍ଦର ପର୍ଯ୍ୟନ୍ତ ଲଜିଷ୍ଟିକ୍ସ ସୁବିଧା ଉପଲବ୍ଧ କରାଯିବ। ଅନ୍ତଃଜଳ ପରିବହନ କ୍ଷେତ୍ରରେ ପୁଞ୍ଜି ନିବେଶ ବଢ଼ାଯିବ। ସବୁ ବନ୍ଦରର ଡିଜିଟାଇଜେସନ ହେବ। ଶିଳ୍ପାଞ୍ଚଳ ନିକଟରେ ବହୁବିଧ ଲଜିଷ୍ଟିକ୍ ପାର୍କ (ମଲ୍ଟି ମଡେଲ ଲଜିଷ୍ଟିକ୍ସ ପାର୍କ) ପ୍ରତିଷ୍ଠା ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରହିଛି।
ଜମି: ଜାତୀୟ ବିଲ୍ଡିଂ କୋଡ୍ର ସଂଶୋଧନ ହେବ। ସରକାରଙ୍କର ଖାଲି ପଡ଼ିଥିବା ଜମିକୁ ନେଇ ଲ୍ୟାଣ୍ଡବ୍ୟାଙ୍କ ପ୍ରତିଷ୍ଠା ହେବ। ଜମିର ସବୁ ରେକର୍ଡ ଡିଜିଟାଇଜେସନ୍ କରାଯିବ। ଶିଳ୍ପ ପ୍ରତିଷ୍ଠା ପାଇଁ ଜମି କିଣିବା ବେଳେ ଜମିର ମୂଲ୍ୟ କିସ୍ତିରେ ପ୍ରଦାନ କରାଯାଇପାରିବ। ଏହାଫଳରେ ଶିଳ୍ପପତିଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରିବ।
କ୍ଲଷ୍ଟର ଓ ସେଜ୍: କ୍ଲଷ୍ଟର ଓ ସେଜ୍ର ବିକାଶ ପାଇଁ ଦୃଢ଼ ନୀତି ପ୍ରସ୍ତୁତ କରାଯିବ। ବର୍ତ୍ତମାନ ସରକାରଙ୍କ ଉଦ୍ୟୋଗ ବିକାଶ ବିଭାଗ ଦ୍ବାରା ମାନୁଫାକ୍ଚରିଂ କ୍ଲଷ୍ଟର ସ୍କିମ୍ର ନିୟମଗୁଡ଼ିକୁ ଅନ୍ତିମ ରୂପ ଦିଆଯାଉଛି।
ବିଜୁଳି: ବିଜୁଳି ନିୟମରେ ବ୍ୟାପକ ସଂଶୋଧନ କରାଯାଉଛି। ଶିଳ୍ପମାନେ ଉତ୍ପାଦକ କମ୍ପାନିଠାରୁ ସିଧାସଳଖ ବିଜୁଳି କିଣିପାରିବେ। ଦେଶରେ ପାଇକାରୀ ବିଜୁଳି ବଜାର ବିକଶିତ କରାଯିବ। ଶିଳ୍ପକୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ସ୍ଥିର ମୂଲ୍ୟ (ଫିକ୍ସଡ୍ ଚାର୍ଜ)ରେ ବିଜୁଳି ଯୋଗାଣ ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଉଛି।