ନୂଆଦିଲ୍ଲୀ: ଆମେରିକାର ପ୍ରତିରକ୍ଷା କମ୍ପାନି ଜେନେରାଲ ଆଟମିକ୍ସଠାରୁ ଭାରତ ୩୧ଟି ‌ପ୍ରିଡେଟର୍‌ ଡ୍ରୋନ୍‌ କିଣିବ। ଦୁଇ ଦେଶ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ରାଜିନାମା ଆଜି ସ୍ବାକ୍ଷରିତ ହୋଇଛି। ୩୧ଟି ପ୍ରିଡେଟର୍‌ ଡ୍ରୋନ୍‌ ମଧ୍ୟରୁ ଭାରତୀୟ ନୌସେନାକୁ ୧୫ଟି ଡ୍ରୋନ୍‌ ମିଳିବାକୁ ଥିବାବେଳେ ବାୟୁସେନା ଓ ସ୍ଥଳସେନାକୁ ୮ଟି ଲେଖାଏଁ ଡ୍ରୋନ୍‌ ମିଳିବ। ଏଥିପାଇଁ ୩୨ ହଜାର କୋଟି ଟଙ୍କାର ରାଜିନାମା ହୋଇଛି। ଉକ୍ତ ଡ୍ରୋନ୍‌ଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଏବଂ ଅନୁଧ୍ୟାନ ସୁବିଧା ଭାରତରେ ଆରମ୍ଭ ହେବ। ଦୁଇ ଦେଶର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ବାକ୍ଷର ହୋଇଛି। ଗତ ସପ୍ତାହରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୩୧ଟି ପ୍ରିଡେଟର୍‌ ଡ୍ରୋନ୍‌କୁ କିଣିବା ପାଇଁ ମଞ୍ଜୁରି ପ୍ରଦାନ କରିଥି‌ଲେ। ଦୀର୍ଘବର୍ଷ ହେଲା ଆମେରିକା ସହିତ ଭାରତ ଏହି ଡ୍ରୋନ୍‌ କିଣିବା ପାଇଁ ଆଲୋଚନା ଚଳାଇ ଆସିଥିଲା। କିନ୍ତୁ କିଛି ସପ୍ତାହ ତଳେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏ ‌ନେଇ ରହିଥିବା ପ୍ରତିବନ୍ଧକ ଦୂର ହୋଇଥିଲା। 

Advertisment

ଏମ୍‌କ୍ୟୁ-୯ବି ‘ହଣ୍ଟର କିଲର୍‌’ ଡ୍ରୋନ୍‌ ଆମ ପ୍ରତିରକ୍ଷା ବାହିନୀର ଶତ୍ରୁ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବ। ବିଶେଷକରି ଚୀନ୍‌ ସୀମାରେ ଏହା ବିଶେଷ ସହାୟକ ହେବ। ଗତବର୍ଷ ପ୍ରତିରକ୍ଷା ମନ୍ତ୍ରାଳୟ ଉକ୍ତ ଏମ୍‌କ୍ୟୁ-୯ବି ପ୍ରିଡେଟର୍‌ ଡ୍ରୋନ୍‌କୁ ଆମେରିକାରୁ କିଣିବା ଲାଗି ମଞ୍ଜୁରି ପ୍ରଦାନ କରିଥିଲା। ଉଲ୍ଲେଖଯୋଗ୍ୟ, ଏମ୍‌କ୍ୟୁ-୯ବି ଡ୍ରୋନ୍‌ ହେଉଛି ଏମ୍‌କ୍ୟୁ-୯ ରିପର ଡ୍ରୋନ୍‌ର ଏକ ଭାରିଆଣ୍ଟ। ଏହି ଡ୍ରୋନ୍‌ ଆକାଶରେ ଲଗାତାର ୩୮ ଘଣ୍ଟା ଉଡ଼ିପାରିବ। ସେହିଭଳି ୪୦ ହଜାର ଫୁଟ୍‌ ଉଚ୍ଚରେ ଘଣ୍ଟାପ୍ରତି ୩୮୮ କିମି ବେଗରେ ଏହା ଉଡ଼ିବା କ୍ଷମତା ରଖିଛି। ୧୭୦୦ ‌କିଗ୍ରା ଓଜନର ଅସ୍ତ୍ରଶସ୍ତ୍ର ଏଥିରେ ନିଆଯାଇ ପାରିବ। ଏହାର ଲମ୍ବ ୩୬.୧ ଫୁଟ ଏବଂ ଉଚ୍ଚତା ୧୨.୬ ଫୁଟ। ଡ୍ରୋନ୍‌ର ଓଜନ ୨୨୨୩ କିଗ୍ରା।