ଶସ୍ତାରେ ରୁଷରୁ ତେଲ କିଣିବ ଭାରତ: ଭେନେଜୁଏଲା, ଇରାନ ତେଲ ଉପରେ ବି ନଜର
ଭାଟ୍ କମାଇନାହାନ୍ତି ୯ ରାଜ୍ୟ
ନୂଆଦିଲ୍ଲୀ: ନିଜ ଆବଶ୍ୟକତାର ୮୨% ତେଲ ଆମଦାନି କରୁଥିବା ଭାରତ ରିହାତିରେ ମିଳୁଥିବା ରୁଷର ତେଲ କିଣିବା ବିଷୟରେ ଗମ୍ଭୀରତାର ସହ ବିଚାର କରୁଛି। କେବଳ ତେଲ ନୁହେଁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏହା ରୁଷରୁ ମଗାଇବାକୁ ଚାହୁଛି। ସାର ଉତ୍ପାଦନରେ ବ୍ୟବହାର ହେଉଥିବା କଞ୍ଚାମାଲ ରୁଷ ଓ ବେଲାରୁଷରୁ ଆମଦାନି କରିବା ଲାଗି ଭାରତ ପ୍ରସ୍ତୁତ ହେଉଛି। ଯେହେତୁ ରୁଷ ଉପରେ କଠୋର କଟକଣା ଲାଗିଛି ତେଣୁ ଡଲାରରେ କାରବାର ହୋଇପାରିବ ନାହିଁ। ତେଣୁ ଭାରତୀୟ ମୁଦ୍ରା ଟଙ୍କାରେ ପେମେଣ୍ଟ୍ କରିବାକୁ ଭାରତ ଚାହୁଛି। ଟଙ୍କା ଓ ରୁଷର ମୁଦ୍ରା ରୁବଲ୍ ମଧ୍ୟରେ କାରବାର କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ବିଚାର କରାଯାଉଛି। ଅତୀତରେ ଇରାନ ସହ ଟଙ୍କାରେ ତେଲ କାରବାର ହେଉଥିଲା। ସାଧାରଣତଃ ରୁଷର ଭାରତ ୨-୩% ତେଲ ମଗାଇଥାଏ। ମାତ୍ର ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରେ ଅଶୋଧିତ ତୈଳ ଦରରେ ୪୦% ବୃଦ୍ଧି ହୋଇଥିବାରୁ ଭାରତ ଚିନ୍ତିତ ହୋଇପଡ଼ିଛି। ଗତବର୍ଷ ନଭେମ୍ବର ବେଳକୁ ତେଲ ଦାମ୍ ୮୨ ଡଲାର ପାଖାପାଖି ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ୟୁକ୍ରେନ୍-ରୁଷ ଯୁଦ୍ଧ ଆରମ୍ଭ ହେବା ପରେ ତାହା ୧୪ ବର୍ଷର ସର୍ବୋଚ୍ଚ ସ୍ତର ୧୪୦ ଡଲାରକୁ ବୃଦ୍ଧି ପାଇଥିଲା। ଏବେ ତାହା ୧୨୫-୧୩୦ ଡଲାର ପାଖାପାଖି ରହିଛି। ଏଭଳି ଏକ ସମୟରେ ରୁଷ ବଡ଼ ଧରଣର ରିହାତିରେ ଭାରତକୁ ତେଲ ବିକ୍ରି କରିବ ବୋଲି ପ୍ରସ୍ତାବ ଦେଇଛି। ସେହି ପ୍ରସ୍ତାବକୁ ଖୁସିର ସହ ଗ୍ରହଣ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଟ୍ୟାଙ୍କର, ବୀମା ସୁବିଧା ଓ ତୈଳ ମିଶ୍ରଣକୁ ନେଇ ରହିଥିବା ସମସ୍ୟା ଦୂର ହେବା ପରେ ରୁଷ ଦେଇଥିବା ରିହାତି ପ୍ରସ୍ତାବକୁ ଭାରତ ଗ୍ରହଣ କରିବ। ରୁଷ ଉପରେ ଆମେରିକା ଓ ଅନ୍ୟାନ୍ୟ କ୍ଷମତାଶାଳୀ ଦେଶ କଠୋର କଟକଣା ଲଗାଇଥିବାରୁ ପୁଟିନଙ୍କ ନେତୃତ୍ବାଧୀନ ଦେଶରୁ ତେଲ କିଣିବା ଲାଗି ବହୁ ଦେଶ କୁଣ୍ଠା ପ୍ରକାଶ କରୁଛନ୍ତି। ସେମାନେ ଆମେରିକା ରୋଷର ଶିକାର ହେବାକୁ ଚାହୁନାହାନ୍ତି। ମାତ୍ର ଭାରତ କହୁଛି ଯେ ରୁଷ ଉପରେ ଲଗାଯାଇଥିବା କଟକଣା ତୈଳ କାରବାର ଉପରେ ଲାଗୁ ହୋଇନାହିଁ। ତେବେ ଭାରତ କେତେ ତେଲ ରୁଷରୁ ମଗାଇବ ଓ କେତେ ରିହାତି ମିଳିବ ତାହା ସ୍ପଷ୍ଟ ହୋଇନାହିଁ। ରୁଷ ହେଉଛି ଭାରତର ଏକ ମିତ୍ର ରାଷ୍ଟ୍ର। ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗିତା ବ୍ୟତୀତ ଜାତିସଂଘରେ ମଧ୍ୟ ଭାରତ ସପକ୍ଷରେ ଏହା ବହୁବାର ସ୍ବର ଉତ୍ତୋଳନ କରିଛି। ତେଲକୁ ନେଇ ଭାରତ ଏକ ବଡ଼ ଯୋଜନା ଉପରେ କାର୍ଯ୍ୟ କରୁଛି। କେବଳ ରୁଷ ତେଲ ବ୍ୟତୀତ ଏହା ଇରାନ ଓ ଭେନେଜୁଏଲାରୁ ଅଧିକ ତେଲ କିଣିବାକୁ ଚାହୁଛି। ସାଉଦି ଆରବ ନେତୃତ୍ବାଧୀନ ଓପେକ୍ ରାଷ୍ଟ୍ର ସମୂହ ଉତ୍ପାଦନ ବଢ଼ାଇବା ପରେ ତେଲ ଦର ହ୍ରାସ ପାଇବ ବୋଲି କୁହାଯାଉଛି।
ଭାଟ୍ କମାଇନାହାନ୍ତି ୯ ରାଜ୍ୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିଥିଲେ ମଧ୍ୟ ମହାରାଷ୍ଟ୍ର ଓ କେରଳ ସମେତ ଦେଶର ୯ଟି ରାଜ୍ୟ ପେଟ୍ରୋଲ୍ ଓ ଡିଜେଲ୍ରୁ ଭାଟ୍ ହ୍ରାସ କରିନାହାନ୍ତି ବୋଲି ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗୃହରେ କହିଛନ୍ତି। ସେଥିପାଇଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ପେଟ୍ରୋଲ୍ ଦାମ୍ ଅଧିକ ରହିଛି। ମହାମାରୀ ପ୍ରଭାବରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନି, ବ୍ରିଟେନ୍ ଓ ସ୍ପେନ୍ରେ ତେଲ ଦାମ୍ ୫୦%ରୁ ୬୦% ବଢ଼ିଥିବା ବେଳେ ଭାରତରେ ମାତ୍ର ୫%ର ବୃଦ୍ଧି ହୋଇଛି।