ନୂଆଦିଲ୍ଲୀ: ବଡ଼ ବଡ଼ ଧନୀ ଲୋକ ସୃଷ୍ଟି କରିବାରେ ବିଶ୍ବର ସବୁ ଦେଶକୁ ଭାରତ ପଛରେ ପକାଇ ଦେବ। ୨୦୨୮ ସୁଦ୍ଧା ଭାରତରେ ଧନୀ ଲୋକଙ୍କ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ମ୍ୟାକେଞ୍ଜି ଆଣ୍ଡ୍‌ କୋ. ଆକଳନ କରିଛି। ଏସିଆ ମହାଦେଶରେ ଧନୀ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଜାପାନ ଦ୍ବିତୀୟ ସ୍ଥାନରେ ରହିଛି। କିନ୍ତୁ ୨୦୨୮ ସୁଦ୍ଧା ସେଠାରେ ସେଭଳି ଲୋକଙ୍କ ସଂଖ୍ୟା ମାତ୍ର ୧୨ ପ୍ରତିଶତ ବଢ଼ିବ। ଜାପାନ ତୁଳନାରେ ଭାରତରେ ୪ ଗୁଣା ଅଧିକ ବଡ଼ ଧନୀ ସୃଷ୍ଟି ହେବେ। 

Advertisment

ଧନୀ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଏବେ ବିଶ୍ବର ଚତୁର୍ଥ ସ୍ଥାନରେ ରହିଛି। ୧୦ ନିୟୁତ ଡଲାର (୮୭ କୋଟି ଟଙ୍କାରୁ ଅଧିକ) ସମ୍ପତ୍ତି ଥିବା ଧନୀ ଲୋକଙ୍କ ସଂଖ୍ୟା ଦେଶରେ ୮୫,୬୯୮ ରହିଛି। ଧନୀ ସଂଖ୍ୟା ଦୃଷ୍ଟିରୁ ପ୍ରଥମ ତିନିଟି ସ୍ଥାନରେ ଆମେରିକା, ଚୀନ୍ ଓ ଜାପାନ ରହିଛନ୍ତି। ଆମେରିକାରେ ୯,୦୫,୪୧୩, ଚୀନ୍‌ରେ ୪,୭୧,୬୩୪ ଓ ଜାପାନରେ ୧,୨୨,୧୧୯ ଧନୀ ରହିଛନ୍ତି। ନାଇଟ୍‌ ଫ୍ରାଙ୍କ୍‌ ନାମକ ସଂସ୍ଥାର ରିପୋର୍ଟ ଅନୁସାରେ ୨୦୨୩ ତୁଳନାରେ ୨୦୨୪ରେ ଭାରତର ଧନୀ ଲୋକଙ୍କ ସଂଖ୍ୟା ୬ ପ୍ରତିଶତ ବଢ଼ି ୮୦,୬୮୬ ହୋଇଥିଲା। ୨୦୨୮ ସୁଦ୍ଧା ସେମାନଙ୍କ ସଂଖ୍ୟା ୯ ପ୍ରତିଶତ ବଢ଼ି ୯୩,୭୫୩ ହୋଇଯିବ। ସାରା ବିଶ୍ବରେ ଆମେରିକା, ଚୀନ୍, ଜାପାନ ଓ ଭାରତ ବ୍ୟତୀତ ଜର୍ମାନୀ, କାନାଡା, ବ୍ରିଟେନ୍, ଫ୍ରାନ୍ସ ଓ ଅଷ୍ଟ୍ରେଲିଆରେ ଅଧିକ ଧନୀ ବାସ କରୁଛନ୍ତି। ଭାରତରେ ୧୯୧ ଜଣ ବିଲିଓନେୟାର ଅଛନ୍ତି। ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ଥିବା ଲୋକମାନଙ୍କୁ ବିଲିଓନେୟାର କୁହାଯାଉଛି। ବିଶ୍ବର ‌ଶୀର୍ଷ ଧନୀମାନଙ୍କ ଭିତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ୯.୨୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ୧୬ତମ ସ୍ଥାନରେ ରହିଛନ୍ତି। ସେହିପରି, ଗୌତମ ଆଦାନୀ ୫.୬୭ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ୨୪ତମ ସ୍ଥାନ‌ରେ ରହିଛନ୍ତି।