ନୂଆଦିଲ୍ଲୀ: ସାମୁଦ୍ରିକ ପରିବହନର ଏକ ପ୍ରମୁଖ ଜଳପଥ ହୋର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଲାଗି ଇରାନ ସରକାର ନେଇଥିବା ନିଷ୍ପତ୍ତି ଭାରତକୁ ବିଶେଷ ପ୍ରଭାବିତ କରିବ ନାହିଁ। ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଭାରତର ଅଧିକାଂଶ ତେଲ ଏହି ପ୍ରାଣାଳୀ ଦେଇ ଆସୁନାହିଁ। କିଛି ବର୍ଷ ମଧ୍ୟ ଭାରତ ବିଭିନ୍ନ ଦେଶରୁ ତେଲ ଆଣିବା ପଦ୍ଧତି ଅବଲମ୍ବନ କରିଛି। ଦେଶର ତୈଳ କମ୍ପାନିଗୁଡ଼ିକ ପାଖରେ ଯେତିକି ତେଲ ଅଛି ତାହା ଅନେକ ସପ୍ତାହର ଆବଶ୍ୟକତା ପୂରଣ କରିପାରିବ। ଅନ୍ୟ ବାଟଗୁଡ଼ିକ ଦେଇ ଭାରତକୁ ତେଲ ଆସିବା ଜାରି ରହିବ। ଲୋକମାନଙ୍କ ପାଖରେ ନିରବଚ୍ଛିନ୍ନ ତେଲ ପହଞ୍ଚାଇବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ଥିବା ଶ୍ରୀ ପୁରୀ କହିଛନ୍ତି।
ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଯୋଗଦେବା ପରେ ଅନ୍ତର୍ଜାତୀୟ ତୈଳ ବଜାର ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୭୭ ଡଲାରରୁ ଅଧିକ ହୋଇଯାଇଛି। ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ୭୭.୩୨ ଡଲାର ଓ ୟୁଏସ୍ ୱେଷ୍ଟ୍ ଏକ୍ସାସ୍ ଇଣ୍ଟରମେଡିଏଟ୍ କ୍ରୁଡ୍ ଦାମ୍ ୭୪.୦୪ ଡଲାରକୁ ବୃଦ୍ଧି ପାଇଛି। ତୈଳ ଉତ୍ପାଦନ କରୁଥିବା ଦେଶଗୁଡ଼ିକର ସଂଘ ଓପେକ୍+ର ଏକ ବଡ଼ ସଦସ୍ୟ ହେଉଛି ଇରାନ। ଏହା ଏକ ତୃତୀୟାଂଶ ତୈଳ ଉତ୍ପାଦନ କରୁଛି। ସେଠାରେ ଦେଖାଦେଇଥିବା ଉତ୍ତେଜନା ତୈଳ ଯୋଗାଣ ପ୍ରତି ବିପଦ ସୃଷ୍ଟି କରିଛି। ହୋର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ଲାଗି ପଦକ୍ଷେପ ନିଆଗଲେ ସାରା ବିଶ୍ବରେ ତୈଳ ବଜାର ଅସ୍ଥିର ହୋଇପଡ଼ିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। ଉତ୍ତେଜନା ବଢ଼ିଲେ ହୋର୍ମୁଜ୍ ପ୍ରଣାଲୀ ବନ୍ଦ କରିବାକୁ ଇରାନ ଧମକ ଦେଇଥିଲା। ତାହା ହେଉଛି ଏକମାତ୍ର ଜଳପଥ ଯାହା ମଧ୍ୟ ଦେଇ ମଧ୍ୟପ୍ରାଚ୍ୟ ଦେଶରୁ ତୈଳ ବିଭିନ୍ନ ଦେଶକୁ ଯାଇଥାଏ। ବିଶ୍ବର ୨୬ ପ୍ରତିଶତ ତେଲ ତାହା ଜରିଆରେ ପରିବହନ କରାଯାଉଛି। ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ଦେବା ଦେବା ପରଠାରୁ ତେଲ ଦର ଲଗାତାର ଭାବେ ବଢ଼ୁଛି। ଏହାର ଦାମ୍ ବ୍ୟାରେଲ୍ ପିଛା ୧୨୦ ଡଲାରରୁ ଅଧିକ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ଭାରତ ନିଜ ତୈଳ ଆବଶ୍ୟକତାର ୮୫% ଆମଦାନି ଜରିଆରେ ପୂରଣ କରୁଛି। ତେଣୁ ତେଲ ବଜାରରେ କୌଣସି ପ୍ରକାର ବିଭ୍ରାଟ ଏହାକୁ ପ୍ରଭାବିତ କରିଥାଏ।